କଟକ ଜିଲ୍ଲା ଶିକ୍ଷା ଅଧିକାରୀ (DEO) କାର୍ଯ୍ୟାଳୟରେ ବଡ଼ ଧରଣର ଆର୍ଥିକ ଘୋଟାଲାର ପର୍ଦାଫାଶ ହୋଇଛି। ସରକାରୀ ଟଙ୍କା ହଡପ ଅଭିଯୋଗରେ ଜଣେ କର୍ମଚାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଗିରଫ ଅଭିଯୁକ୍ତ ହେଲେ ସୁଭାଷ ଚନ୍ଦ୍ର ସାହୁ, ଯିଏ କଟକ DEO କାର୍ଯ୍ୟାଳୟର ଆକାଉଣ୍ଟସ୍ ସେକ୍ସନରେ କାମ କରୁଥିଲେ।
ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ୨୦୧୮ ଡିସେମ୍ବର ୩୧ରୁ ୨୦୨୧ ଅକ୍ଟୋବର ୧୬ ମଧ୍ୟରେ ସେ ପ୍ରାୟ ୫୧ ଲକ୍ଷ ୫୩ ହଜାର ୬୪୦ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ କରିଥିଲେ। HRMS ଓ IFMS ପରି ଗୁରୁତ୍ୱପୂର୍ଣ୍ଣ ଅନଲାଇନ୍ ବ୍ୟବସ୍ଥାର ଦାୟିତ୍ୱରେ ଥିବା ସୁଭାଷ, ଡ୍ରୟିଂ ଆଣ୍ଡ ଡିସବର୍ସିଂ ଅଫିସର୍ (DDO)ଙ୍କ ଲଗଇନ୍ ସୂଚନାକୁ ଅବୈଧ ଭାବେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ତଦନ୍ତରେ ଆଉ ଅନେକ ତଥ୍ୟ ସାମ୍ନାକୁ ଆସିଛି। ସୁଭାଷ କଥିତ ଭାବେ ୪ ଜଣ ବାହାର ଲୋକଙ୍କ ନାଁକୁ HRMS ପୋର୍ଟାଲରେ ସରକାରୀ କର୍ମଚାରୀ ଭାବେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ନାଁରେ ବେତନ ପ୍ରସ୍ତୁତ ହୋଇ ଟଙ୍କା ବ୍ୟାଙ୍କ ଖାତାକୁ ଯାଉଥିଲା। ଅଭିଯୋଗ ଅନୁସାରେ, ସେହି ଟଙ୍କା ପୁଣି ସେହି ଦିନ ସୁଭାଷଙ୍କ ବ୍ୟକ୍ତିଗତ ଖାତାକୁ ଟ୍ରାନ୍ସଫର୍ ହେଉଥିଲା। ଘଟଣା ପରେ ଓଡ଼ିଶା ଭିଜିଲାନ୍ସ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରି ସୁଭାଷଙ୍କୁ ଗିରଫ କରିଛି। ଗୁରୁବାର ତାଙ୍କୁ କୋର୍ଟକୁ ପଠାଯାଇଛି।