ପୁରୀ ଜିଲ୍ଲା ଡେଲାଙ୍ଗର ହରିପୁର ଗାଁ ଏବେ ଭୟ ଓ ଆତଙ୍କରେ ଥରହର। ବେଆଇନ ପଥର ଖଣି କାରବାରକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଏବେ ରକ୍ତରଞ୍ଜିତ ରୂପ ନେଇଛି। ଗତକାଲି ବିଳମ୍ବିତ ରାତିରେ ଗାଁରେ ବୋମାମାଡ଼ ସହ ବ୍ଲାଙ୍କ ଫାୟାରିଂ ହୋଇଥିବାବେଳେ ସମଗ୍ର ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା।
ସୂଚନା ଅନୁସାରେ, ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗାଁରେ କିଛି ଯୁବକ ଏକାଠି ହୋଇ ଭୋଜି କରୁଥିଲେ। ସେହି ସମୟରେ ହଠାତ୍ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଆତଙ୍କରାଜ ସୃଷ୍ଟି କରିଥିଲେ। ଏକ ପରେ ଏକ ବୋମା ମାଡ଼ ସହ ଗୁଳି ଚାଳନା ହୋଇଥିଲା। ରାତିରେ ଗୁଳି ଓ ବୋମାର ଶବ୍ଦ ଲୋକଙ୍କ ମନରେ ଭୟ ଖେଳାଇଦେଇଥିଲା।
ଏହି ହିଂସାକାଣ୍ଡରେ ୩ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ୭ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଗୁରୁତର ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି।
ଘଟଣା ପରେ ଡେଲାଙ୍ଗ ପୋଲିସ ଓ ହରିରାଜପୁର ଫାଣ୍ଡି ପୋଲିସ ଗାଁରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ସ୍ଥଳରୁ ୨ଟି ଅଫୁଟା ବୋମା ଓ ଗୁଳିର ସିସା ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବେଆଇନ ପଥର ଓ ମୋରମ ଖଣି କାରବାରକୁ ନେଇ ଏହି ହିଂସା ଘଟିଛି। କିଛି ଦିନ ପୂର୍ବରୁ ଏକ ବେଆଇନ ମୋରମ ଖଣିରେ JCB ମେସିନ ପୋଡ଼ିଦିଆଯାଇଥିଲା। ସେହି ଘଟଣାର ପ୍ରତିଶୋଧ ନେବାକୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।
ସବୁଠୁ ଚିନ୍ତାଜନକ କଥା ହେଉଛି, ଏତେ ବଡ଼ ଘଟଣା ପରେ ମଧ୍ୟ ଗ୍ରାମବାସୀ ଭୟରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ଗାଁରେ ଏବେ ନିରବତା ଥିଲେ ମଧ୍ୟ ଭିତରେ ଭିତରେ ଭୟର ବାତାବରଣ ଛାଇ ରହିଛି। ଯଦି ପ୍ରଶାସନ ଶୀଘ୍ର କଡ଼ା ପଦକ୍ଷେପ ନ ନିଏ, ତେବେ ଡେଲାଙ୍ଗରେ ଏହି ଖଣି ମାଫିଆ ଦବଙ୍ଗଗିରି ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି।