ଭୁବନେଶ୍ୱର: ରାଜ୍ୟରେ ଏବେ ଦେଖାଦେଇଛି ଭୟଙ୍କର ଇନ୍ଧନ ସଙ୍କଟ। ପେଟ୍ରୋଲ ଓ ଡିଜେଲ ଅଭାବରେ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜୀବନ। ରାଜଧାନୀ ଭୁବନେଶ୍ୱରରୁ କଟକ, ପୁରୀରୁ ବାଲେଶ୍ୱର, କେନ୍ଦ୍ରାପଡ଼ାରୁ ରାଉରକେଲା ସବୁଠି ଏବେ ସମାନ ଚିତ୍ର ଦେଖିବାକୁ ମିଳୁଛି। ପେଟ୍ରୋଲ ପମ୍ପ ଆଗରେ କିଲୋମିଟର ଲମ୍ବା ଲାଇନ୍, ହାତରେ ଗାଡ଼ିର ଚାବି ଧରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ।
ସକାଳ ହେବା ପୂର୍ବରୁ ହିଁ ପେଟ୍ରୋଲ ଟାଙ୍କି ଆଗରେ ଜମୁଛି ଭିଡ଼। କେଉଁଠି ତେଲ ମିଳୁଛି ବୋଲି ଖବର ମିଳିଲେ ଲୋକେ ସେଠାକୁ ଦୌଡ଼ୁଛନ୍ତି। ଅନେକ ପମ୍ପରେ ‘ନୋ ଷ୍ଟକ’ ବୋର୍ଡ ଝୁଲୁଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି। କେତେକ ସ୍ଥାନରେ ତେଲ ପାଇଁ ଧକ୍କାଧକ୍କି ଓ ମୁହାମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି।
ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଲମ୍ବା ଲାଇନ୍ରେ ଠିଆ ହୋଇ ଲୋକେ ନୟାନ୍ତ ହେଉଛନ୍ତି। ବୃଦ୍ଧ, ମହିଳା ଓ ଚାକିରିଆଳା ଲୋକଙ୍କ ପାଇଁ ପରିସ୍ଥିତି ଅଧିକ କଷ୍ଟଦାୟକ ହୋଇପଡ଼ିଛି। ତେଲ ପାଇଁ ଏନଏଚ୍ ଉପରେ ଗାଡ଼ିର ଲମ୍ବା ଧାଡ଼ି ଲାଗିଥିବାରୁ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ିଛି।
ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି ସଙ୍କଟ କେବେ ସମାଧାନ ହେବ? ସରକାର ପରିସ୍ଥିତି ସାମ୍ନା କରିବାକୁ ପଦକ୍ଷେପ ନେଉଥିବା କହୁଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମୁନାହିଁ। ତେଲ ଟାଙ୍କି ଏବେ କେବଳ ଇନ୍ଧନ କେନ୍ଦ୍ର ନୁହେଁ, ବରଂ ଲୋକଙ୍କ ଅସହାୟତାର ଜୀବନ୍ତ ଚିତ୍ର ପାଲଟିଯାଇଛି।