ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟକୁ ନେଇ ବଢ଼ୁଥିବା ଆତଙ୍କ ମଧ୍ୟରେ ସରକାର ଦେଇଛନ୍ତି ବଡ଼ ଆଶ୍ୱାସନ। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ। ଆଗାମୀ ୧୩ ଦିନ ପାଇଁ ପର୍ଯ୍ୟାପ୍ତ ତୈଳ ମହଜୁଦ ରହିଛି। କିନ୍ତୁ ଲୋକମାନଙ୍କ ଆତଙ୍କିତ ବ୍ୟବହାର ହିଁ ଏବେ ପମ୍ପଗୁଡ଼ିକରେ ଅସାମାନ୍ୟ ଭିଡ଼ ସୃଷ୍ଟି କରୁଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ବୋତଲ, ଡବା ଓ ଜାରକିନ୍ରେ ତେଲ ଭରି ସଂରକ୍ଷଣ କରୁଥିବାରୁ ଚାହିଦା ପ୍ରାୟ ୫୦ ପ୍ରତିଶତ ବଢ଼ିଯାଇଛି। ଫଳରେ ଅନେକ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗୁଥିବା ବେଳେ କେତେକ ସ୍ଥାନରେ ‘ନୋ ଷ୍ଟକ’ ବୋର୍ଡ ମଧ୍ୟ ଝୁଲୁଛି। ମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି “ପ୍ୟାନିକ୍ ହେଉନ୍ତୁ ନାହିଁ, ଆବଶ୍ୟକତାଠାରୁ ଅଧିକ ତେଲ କିଣନ୍ତୁ ନାହିଁ।”
ଏହି ସଙ୍କଟ ପଛରେ ରହିଛି ଆନ୍ତର୍ଜାତୀୟ ଯୁଦ୍ଧ ପରିସ୍ଥିତି। ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି। ବିଶେଷକରି ଆରବ ଦେଶଗୁଡ଼ିକରୁ ତୈଳ ଓ ଗ୍ୟାସ ପରିବହନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଉପରେ ଅସ୍ଥିରତା ଯୋଗୁ ସପ୍ଲାଇ ଚେନ୍ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତ ସମେତ ଓଡ଼ିଶାରେ ମଧ୍ୟ ପଡ଼ିଛି।
ପ୍ରଥମେ ରନ୍ଧନ ଗ୍ୟାସ ସମସ୍ୟା, ଏବେ ପେଟ୍ରୋଲ-ଡିଜେଲ ଅଭାବ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। କିନ୍ତୁ ସରକାର କହୁଛନ୍ତି, ସଙ୍କଟ ଠାରୁ ଅଧିକ ଭୟଙ୍କର ହେଉଛି ଗୁଜବ। ସୋସିଆଲ ମିଡିଆରେ “ତେଲ ମିଳିବ ନାହିଁ” ଭଳି ଭୁଲ ସନ୍ଦେଶକୁ ବିଶ୍ୱାସ ନକରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ତୈଳ କଳାବଜାରୀକୁ ରୋକିବା ପାଇଁ ସରକାର କଡ଼ା ହୋଇଛନ୍ତି। ଅବୈଧ ଭାବେ ତେଲ ମହଜୁଦ କରୁଥିବା ଲୋକଙ୍କ ବିରୋଧରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।