ଭୁବନେଶ୍ୱର: ସାବିତ୍ରୀ ବ୍ରତ ପାଇଁ ଏବେ ଚାରିଆଡ଼େ ଉତ୍ସବର ମାହୋଲ। ବଜାରରେ ଗହଳି, ଦୋକାନରେ ଭିଡ଼ ଆଉ ସଜେଇ ହୋଇଥିବା ଫଳର ପସରା ମଧ୍ୟରେ ଚଳଚଞ୍ଚଳ ହୋଇଉଠିଛି ରେଶମ ସହର ବ୍ରହ୍ମପୁର। ସ୍ୱାମୀଙ୍କ ଦୀର୍ଘାୟୁ କାମନାରେ ସଧବା ମହିଳାମାନେ ପାଳନ କରିବେ ସାବିତ୍ରୀ ବ୍ରତ। ଏଥିପାଇଁ ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର ଠାରୁ ଆରମ୍ଭ କରି ଫଳ ଓ ପୂଜା ସାମଗ୍ରୀ କିଣିବାକୁ ବଜାରରେ ଲାଗିଛି ଅସମ୍ଭବ ଭିଡ଼।
ହେଲେ ଏହି ଉତ୍ସବର ଖୁସି ଭିତରେ ମଧ୍ୟବିତ୍ତ ପରିବାରଙ୍କୁ ଚିନ୍ତାରେ ପକାଇଛି ଆକାଶଛୁଆଁ ଫଳ ଦର। ସାବିତ୍ରୀ ଭାର ପାଇଁ ଫଳ କିଣିବାକୁ ଗ୍ରାହକମାନେ ବାଧ୍ୟ ହେଉଥିବା ବେଳେ, ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି ଆମ୍ବ, ପଣସ, ତାଳ ଓ ଅନ୍ୟାନ୍ୟ ଫଳ। ପକେଟକୁ ବାଧୁଥିଲେ ମଧ୍ୟ ପରମ୍ପରା ରକ୍ଷା ପାଇଁ ଲୋକେ ଦରକୁ ଅଣଦେଖା କରି କିଣାକାଟା କରୁଛନ୍ତି।
ବ୍ରହ୍ମପୁରର ଗୋସାଇଁ ନୂଆଗାଁ, ବିଜିପୁର, ଗିରି ମାର୍କେଟ, କମାପଲ୍ଲୀ ଓ ଇଂଜିନିୟରିଂ ସ୍କୁଲ ଛକ ଭଳି ଅଞ୍ଚଳରେ ଫଳ ଦୋକାନରେ ଦିନଭର ଭିଡ଼ ଲାଗି ରହିଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଫଳର ଚାହିଦା ବଢ଼ିଥିବା ବେଳେ, ପୂଜା ପାଇଁ ଶୃଙ୍ଗାର ପୁଟୁଳି ମଧ୍ୟ ଭଲ ବିକ୍ରି ହେଉଛି। ସାବିତ୍ରୀରେ ପରମ୍ପରା ଓ ସ୍ନେହର ସମ୍ପର୍କ ଆଗରେ ମହଙ୍ଗା ମାଡ଼ ହାର ମାନିଥିଲେ ମଧ୍ୟ, ଏବେ ଖାଉଟିଙ୍କ ମୁଖ୍ୟ ଚିନ୍ତା ପର୍ବ ପାଳିବୁ କି ପକେଟ୍ ବଞ୍ଚାଇବୁ?