କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ରେ ଆଜି କୋଲକାତା ନାଇଟ୍ ରାଇଡର୍ସ (KKR) ଏବଂ ଗୁଜରାଟ ଟାଇଟନ୍ସ (GT) ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯିବ। ପ୍ଲେ-ଅଫ୍ ଦୃଷ୍ଟିରୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍ ଜିତି ଗୁଜରାଟ ପ୍ଲେ-ଅଫ୍ରେ ନିଜର ସ୍ଥାନ ପକ୍କା କରିବାକୁ ଚାହିଁବ। ଅନ୍ୟପଟେ, କୋଲକାତା ପାଇଁ ଟୁର୍ଣ୍ଣାମେଣ୍ଟର ଦୌଡ଼ରେ ରହିବାକୁ ହେଲେ ଏହି ମ୍ୟାଚ୍ ଜିତିବା ନିହାତି ଜରୁରୀ। କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ମ୍ୟାଚ୍ ଖେଳାଯିବ ।।
ପ୍ଲେ-ଅଫ୍ ସମୀକରଣ
ଗୁଜରାଟ ଟାଇଟନ୍ସ ଚଳିତ ସିଜନରେ ଗୁଜରାଟ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍ ଖେଳି ୮ଟିରେ ବିଜୟ ଏବଂ ୪ଟିରେ ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚ୍ ଜିତିଲେ ଟିମ୍ ପଏଣ୍ଟ ଟେବୁଲର ଶୀର୍ଷକୁ ଯିବା ସହ ପ୍ଲେ-ଅଫ୍ ଟିକେଟ୍ କନଫର୍ମ କରିବ।
କୋଲକାତା ନାଇଟ୍ ରାଇଡର୍ସ ୧୧ଟି ମ୍ୟାଚ୍ରୁ ମାତ୍ର ୪ଟିରେ ଜିତିଛି ଏବଂ ୬ଟିରେ ହାରିଛି (ଏକ ମ୍ୟାଚ୍ ବାତିଲ ହେବାରୁ ୧ ପଏଣ୍ଟ ମିଳିଥିଲା)। KKR ଯଦି ତାର ବାକି ୩ଟି ଯାକ ମ୍ୟାଚ୍ ଜିତେ, ତେବେ ସର୍ବାଧିକ ୧୫ ପଏଣ୍ଟରେ ପହଞ୍ଚିବ। ତେଣୁ ଆଜି ମ୍ୟାଚ୍ ହାରିଲେ କୋଲକାତାର ପ୍ଲେ-ଅଫ୍ ଆଶା ସମ୍ପୂର୍ଣ୍ଣ ମଉଳି ଯିବ।
ଇଡେନ ଗାର୍ଡେନ୍ସର ଆଇପିଏଲ୍ ରେକର୍ଡ
ଇଡେନ ଗାର୍ଡେନ୍ସରେ ଏପର୍ଯ୍ୟନ୍ତ ମୋଟ ୧୦୪ଟି ଆଇପିଏଲ ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪୩ ଥର ଜିତିଥିବା ବେଳେ ଟାର୍ଗେଟକୁ ପିଛା କରିଥିବା ଦଳ ୫୯ ଥର ବିଜୟୀ ହୋଇଛି। ଏଥିରୁ ସ୍ପଷ୍ଟ ଯେ ଏଠାରେ କାକର ଏକ ବଡ଼ ଭୂମିକା ଗ୍ରହଣ କରିଥାଏ ଏବଂ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳକୁ ଅଧିକ ଫାଇଦା ମିଳେ।
ଏହି ଗ୍ରାଉଣ୍ଡରେ ସର୍ବାଧିକ ଦଳଗତ ସ୍କୋର ୨୬୨ ରନ୍ ରହିଛି, ଯାହା ୨୦୨୪ରେ ପଞ୍ଜାବ କିଙ୍ଗସ KKR ବିପକ୍ଷରେ କରିଥିଲା। ଏଠାରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୬୪ ରନ୍ ଅଟେ।
କେମିତି ରହିବ ପିଚ୍
ଆଜିର ମ୍ୟାଚ୍ରେ ପିଚ୍ ସମ୍ପୂର୍ଣ୍ଣ ଭାବେ ବ୍ୟାଟରମାନଙ୍କ ଅନୁକୂଳ ରହିବାର ସମ୍ଭାବନା ଅଛି। ଏହା ଏକ ଫ୍ଲାଟ୍ ବା ସପାଟ ପିଚ୍ ହୋଇଥିବାରୁ ଏଠାରେ ବୋଲରମାନଙ୍କ ପାଇଁ ୱିକେଟ୍ ନେବା ସହଜ ହେବନାହିଁ। ପଡ଼ିଆର ଛୋଟ ବାଉଣ୍ଡ୍ରି ଯୋଗୁଁ ଆଜି ଏକ ହାଇ-ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିପାରେ।
ଯଦି ବର୍ଷା ହୁଏ, ତେବେ ପିଚ୍ର ଆଚରଣ ବଦଳିପାରେ। ସେଭଳି ସ୍ଥିତିରେ ବଲ୍ର ଅତିରିକ୍ତ ବାଉନ୍ସ ବ୍ୟାଟରମାନଙ୍କୁ ଅସୁବିଧାରେ ପକାଇପାରେ। ଟସ୍ ଜିତିବା ଦଳର ଅଧିନାୟକ ଏଠାରେ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବେ। କିନ୍ତୁ ପ୍ରଥମ ଇନିଂସରେ ଯଦି କୌଣସି ଦଳ ୨୨୦ରୁ ୨୩୦ ରନ୍ ସ୍କୋର କରିନିଏ, ତେବେ ରନ୍ ଚେଜ୍ କରୁଥିବା ଦଳ ପାଇଁ ମ୍ୟାଚ୍ ଜିତିବା କଷ୍ଟକର ହୋଇପାରେ।