ଭୁବନେଶ୍ୱର: ଏଥର ଟିକେ ଜଲଦି ଅସହ୍ୟ ଗରମରୁ ନିସ୍ତାର ମିଳିପାରେ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଣ୍ଡାମାନ ଛୁଇଁବା ପରେ ଦକ୍ଷିଣ-ପୂର୍ବ ଆରବ ସାଗର ଅଭିମୁଖେ ଅଗ୍ରସର ହେଉଛି ମୌସୁମୀ ବାୟୁ । ତେଣୁ ଖୁବ ଶୀଘ୍ର କେରଳ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗ ଆକଳନ କରିଛି ଯେ ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ଦକ୍ଷିଣ-ପୂର୍ବ ଆରବ ସାଗର, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଅବଶିଷ୍ଟ ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶକୁ ମୌସୁମୀ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି।
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଶୀଘ୍ର ଆରମ୍ଭ ହେବା ଫଳରେ ମୌସୁମୀ ଭାରତ ଆଡକୁ ଧୀରେ ଧୀରେ ଅଗ୍ରସର ହେଉଛି । କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ଆକଳନ ସମୟ ପୂର୍ବରୁ ଆସିପାରେ । ଯାହା ସାଧାରଣତଃ ଜୁନ୍ ପହିଲା ବେଳକୁ ହୋଇଥାଏ । ତେବେ ମୌସୁମୀର ଶୀଘ୍ର ଆଗମନ ଚାଷୀକୂଳ ପାଇଁ ଖୁସି ଆଣି ଦେଇଛି ।