ଆଜି ହେଉଛି ସାବିତ୍ରୀ ଓଷା । ଜ୍ୟୈଷ୍ଠ ମାସ ଅମାବାସ୍ୟା ତିଥିର ସାବିତ୍ରୀ ବ୍ରତ ହେଉଥିବାରୁ ଏହାକୁ ସାବିତ୍ରୀ ଅମାବାସ୍ୟା ମଧ୍ୟ କୁହାଯାଇଛି । ସ୍ୱାମୀଙ୍କ ମଙ୍ଗଳ ମନାସୀ ଏବଂ ଦୀର୍ଘାୟୁ କାମନା କରି ସଧବା ନାରୀ ମାନେ ସାବିତ୍ରୀ ଓଷା କରନ୍ତି ।
ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ବିବାହିତା ସଧବା ସ୍ତ୍ରୀଲୋକମାନେ ସ୍ୱାମୀଙ୍କ ପାଇଁ ବ୍ରତ ଓ ଉପବାସ କରନ୍ତି । ଚଉଁରା ମୂଳେ, ଲକ୍ଷ୍ମୀ ନାରାୟଣ କିମ୍ବା ବଟ ବୃକ୍ଷ ମୂଳେ ପୂଜା କରାଯାଇଥାଏ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ । ମହିଳାମାନେ ନୂତନ ଶାଢ଼ୀ, ଶଙ୍ଖା ଓ ସିନ୍ଦୂର ପୂଜା କରିବା ପରେ ପିନ୍ଧନ୍ତି । ଏହି ଦିନ କୌଣସି ପାକ ଭୋଜନ କରାଯାଇନଥାଏ, କେବଳ ବ୍ରତଧାରୀ ମହିଳାମାନେ ଫଳାହାର କରନ୍ତି ।
ପୌରାଣିକ ମତ
ପୌରାଣିକ ମତ ଅନୁସାରେ ମଦ୍ର ଦେଶରେ ଅଶ୍ୱପତି ରାଜା ସାବିତ୍ରୀ ଯଜ୍ଞ କରି ଏକ ଝିଅ ପାଇଥିଲେ । ସେଥିପାଇଁ ରାଜା ଝିଅଙ୍କ ନାମ ସାବିତ୍ରୀ ରଖିଥିଲେ । ସାବିତ୍ରୀ ନିଜ ଇଚ୍ଛାରେ ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ପୁତ୍ର ସତ୍ୟବାନଙ୍କ ବିବାହ କରିଥିଲେ । ଦ୍ୟୁମତସେନ ନିଜ ରାଜ୍ୟ ହରାଇବା ସହିତ ଚକ୍ଷୁ ହରାଇବା ପରେ ପରିବାର ସହିତ ଜଙ୍ଗଲରେ ବାସ କରୁଥିଲେ । କିନ୍ତୁ ସତ୍ୟବାନଙ୍କର ଆୟୁଷ ମାତ୍ର ଏକ ବର୍ଷ ଥିଲା । ଯେଉଁ ଦିନ ସତ୍ୟବାନଙ୍କ ଶେଷ ଦିନ ସେହିଦିନ ଫଳ ସଂଗ୍ରହ କରୁଥିବାବେଳେ ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା ହେଲା । ସାବିତ୍ରୀ ନିଜ କୋଳରେ ସେମିତି ସତ୍ୟବାନଙ୍କୁ ଧରି ବସି ରହିଥିଲେ । ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାବିତ୍ରୀଙ୍କ ନିକଟରୁ ସତ୍ୟବାନଙ୍କ ଛଡ଼ାଇ ନେଇ ନ ପାରି ଫେରିଗଲେ। ଶେଷରେ ଯମ ଆସି ପହଁଥିଲେ । ଯମରାଜ ସତ୍ୟବାନଙ୍କ ପ୍ରାଣ ବଦଳରେ ତିନୋଟି ବର ଦେବାକୁ ଇଚ୍ଛା ପ୍ରକାଶ କଲେ । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ, ଅଗତ୍ୟା ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କଲେ ।
ଓଡ଼ିଶା ବାହାରେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଏହାକୁ ବଟ ସାବିତ୍ରୀ ବୋଲି କୁହନ୍ତି । ବର ଗଛ ମୂଳେ ପୂଜା ହେଉଥିବାରୁ ବଟ ସାବିତ୍ରୀ ନାମ ରଖାଯାଇଛି ।