ବରଗଡ଼: ଜିଲ୍ଲାର ଅତାବିରା ଥାନା ଅନ୍ତର୍ଗତ ବରଗଡ଼- ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜଣେ ବ୍ୟକ୍ତି ଟ୍ରେନରେ କଟି ମୃତ୍ୟୁ ବରଣ କରିଛନ୍ତି । ଫଳରେ ଉକ୍ତ ସ୍ଥାନରେ ଅଢ଼େଇ ଘଣ୍ଟାରୁ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ବରଗଡ଼- ସମ୍ବଲପୁର ରେଲୱେ ରେଳ ଲାଇନର ୫୮୪/୨୨ ଖୁଣ୍ଟ ପାଖରେ ଶନିବାର ସକାଳ ୬ଟା ୮ ମିନିଟ ସମୟରେ ଏକ ମାଳବାହି ଟ୍ରେନ ଭୋଇପାଲି ଅତିକ୍ରମ କରୁଥିବା ବେଳେ ହଠାତ ଅଜଣା ବ୍ୟକ୍ତି ଜଣକ ସାମ୍ନାକୁ ଆସିଯାଇଥିଲେ l ସାଙ୍ଗେ ସାଙ୍ଗେ ଉଭୟ ଟ୍ରେନ ଚାଳକ ଜରୁରୀକାଳୀନ ବ୍ରେକ ଲଗାଇ ଥିଲେ l କିନ୍ତୁ ଟ୍ରେନଟି ବ୍ୟକ୍ତିଙ୍କ ଉପରେ ମାଡ଼ିଯାଇଥିଲା । ସଙ୍ଗେ ସଙ୍ଗେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା । ମାତ୍ର ବ୍ୟକ୍ତିଙ୍କର ସେହିଠାରେ ହିଁ ପ୍ରାଣ ବାୟୁ ଉଡ଼ିଯାଇଥିଲା ।
ମାଲଗାଡିଟି ୨ଘଣ୍ଟା ୪୦ ମିନିଟ ଘଟଣାସ୍ଥଳରେ ଅଟକି ରହିଥିଲା । ସେହି ପଥ ଦେଇ ଯିବାକୁ ଥିବା ସମସ୍ତ ଟ୍ରେନ ଗୁଡିକୁ ବିଭିନ୍ନ ସ୍ଥାନରେ ଅଟକାଯାଇଥିଲା l ଅତାବିରା ଥାନା ପୋଲିସ ଓ ରେଲୱେ ପୋଲିସ ପହଁଚି ଶବକୁ ଜବତ କରି ସେହି ମାଳଗାଡ଼ିରେ ନେବା ପରେ ସକାଳ ୮ଟା ୪୮ ମିନିଟରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା l ସମ୍ବଲପୁର ରେଲୱେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି l