ଭୁବନେଶ୍ୱର: ସାବିତ୍ରୀ ବ୍ରତ ଓ ରଜ ପର୍ବକୁ ଆଗରେ ରଖି ଭୁବନେଶ୍ୱରରେ ଆରମ୍ଭ ହୋଇଛି ରଙ୍ଗିନ ହ୍ୟାଣ୍ଡଲୁମ୍ ମେଳା। ଓରମାସ୍ ପକ୍ଷରୁ ଉତ୍କଳ କନିକା ଗ୍ୟାଲେରିଆରେ ଆୟୋଜିତ ସାବିତ୍ରୀ ଓ ରଜ ମହୋତ୍ସବ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀରେ ମିଳୁଛି ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ୍ର ପୋଷାକର ବିଶେଷ ସଂଗ୍ରହ।
ଏହି ମେଳାରେ ସମ୍ବଲପୁରୀ, ବୋମକାଇ, କୋଟପାଡ଼, ହବସପୁରୀ, ପଟ୍ଟଚିତ୍ର, ଇକତ୍ ଓ ତସର ଶାଢ଼ୀ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏଥିସହ ଡ୍ରେସ୍ ମାଟେରିଆଲ୍, ଦୁପଟ୍ଟା, କୁର୍ତ୍ତି ଓ ଅନ୍ୟାନ୍ୟ ହ୍ୟାଣ୍ଡଲୁମ୍ ସାମଗ୍ରୀ ମଧ୍ୟ ଏଠାରେ ଉପଲବ୍ଧ ଅଛି।
ସୋନପୁର, ବରଗଡ଼, ସମ୍ବଲପୁର, କୋରାପୁଟ, କଟକ, ଖୋର୍ଦ୍ଧା ସହ ରାଜ୍ୟର ବିଭିନ୍ନ ଜିଲ୍ଲାର ତାଣ୍ଟି ଓ କାରିଗରମାନେ ଏହି ମେଳାରେ ଯୋଗଦେଇ ନିଜ ଉତ୍ପାଦ ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଏଥିରେ ମଧ୍ୟସ୍ଥଙ୍କ ଭୂମିକା କମିବା ସହ କାରିଗରମାନେ ଭଲ ଲାଭ ପାଇବେ ବୋଲି ଆଶା କରାଯାଉଛି।
ଜୁନ୍ ୧୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ପ୍ରତିଦିନ ସକାଳ ୧୧ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ପର୍ବ ଆଗରୁ ନୂଆ ଶାଢ଼ୀ କିଣିବାକୁ ଚାହୁଁଥିଲେ ଏହି ମେଳା ଆପଣଙ୍କ ପାଇଁ ହୋଇପାରେ ସର୍ବଶ୍ରେଷ୍ଠ ଠିକଣା। ସାଧାରଣ ଲୋକଙ୍କ ପାଇଁ ସୁଲଭ ଦରରୁ ଆରମ୍ଭ କରି ପ୍ରିମିୟମ୍ ହସ୍ତତନ୍ତ ପୋଷାକ ଉପଲବ୍ଧ ରହିଛି। ଗ୍ରାହକଙ୍କର ସୁବିଧା ପାଇଁ ଡିଜିଟାଲ୍ ପେମେଣ୍ଟପରି ଆବଶ୍ୟକ ସମସ୍ତ ବ୍ୟବସ୍ଥା ମଧ୍ୟ ରହିଛି।