ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହରେ ଆକାଶରୁ ଯେମିତି ନିଆଁ ବର୍ଷୁଛି। ସକାଳ ହେବା ମାତ୍ରେ ଖରାର ତେଜ ଏତେ ବଢ଼ିଯାଉଛି ଯେ, ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଗ୍ରୀଷ୍ମର ପ୍ରଚଣ୍ଡ ପ୍ରକୋପରେ ସାରା ଓଡ଼ିଶା ଜଳୁଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ସବୁଠାରୁ ଅଧିକ ସଙ୍ଗୀନ ହୋଇପଡ଼ିଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୮.୨ ଡିଗ୍ରୀ ଛୁଇଁଥିବା ବେଳେ ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି।
ଗୋଟିଏ ପଟେ ପ୍ରଚଣ୍ଡ ରୌଦ୍ରତାପ, ଅନ୍ୟପଟେ ଅସହ୍ୟ ଗୁଳୁଗୁଳି। ଏହି ଦୁଇର ଡବଲ୍ ଆଟାକ୍ରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ସକାଳ ୧୦ଟା ପରେ ରାସ୍ତାକୁ ବାହାରିବା ମୁସ୍କିଲ ହେଉଛି। ସାଧାରଣତଃ ଲୋକଙ୍କ ଭିଡ଼ରେ କୋଳାହଳ ଥିବା ମାର୍କେଟ୍ ବିଲ୍ଡିଂ, ଖଣ୍ଡଗିରି ଛକ ଭଳି ସ୍ଥାନ ଦିନବେଳେ ଖାଁ ଖାଁ ଲାଗୁଛି। ରାସ୍ତା ଉପରେ ବହୁଥିବା ଝାଞ୍ଜି ପବନ ଲୋକଙ୍କ ଦେହ ହାତ ପୋଡ଼ି ପକାଉଛି।
କେବଳ ଭୁବନେଶ୍ୱର ନୁହେଁ, ବାଲେଶ୍ୱର, ଚାନ୍ଦବାଲି ଓ ସମ୍ବଲପୁର ଭଳି ସହରରେ ମଧ୍ୟ ତାତିର ତେଜ ଜାରି ରହିଛି। ବାଲେଶ୍ୱରରେ ୩୭.୮ ଡିଗ୍ରୀ, ଚାନ୍ଦବାଲିରେ ୩୭.୪ ଏବଂ ସମ୍ବଲପୁରରେ ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ତେବେ ସବୁଠାରୁ ଅଧିକ ତାତି ଅନୁଭୂତ ହେଉଛି ରାଜଧାନୀରେ। ପରିବେଶବିତ୍ମାନଙ୍କ ମତରେ, ବଢୁଥିବା କଂକ୍ରିଟ୍ ଜଙ୍ଗଲ, ଯାନବାହନର ପ୍ରଦୂଷଣ ଏବଂ କମୁଥିବା ସବୁଜିମା ଏହାର ପ୍ରମୁଖ କାରଣ।
ଏହି ଅସହ୍ୟ ଖରାରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ, ଅଟୋ ଚାଳକ ଓ ରାସ୍ତାକଡ଼ ବ୍ୟବସାୟୀ। ପେଟ ପାଇଁ ସେମାନେ ଖରାକୁ ଖାତିର ନକରି କାମକୁ ବାହାରୁଥିବା ବେଳେ ମୁହଁରେ ଗାମୁଛା ଓ ହାତରେ ଛତା ହେଉଛି ସେମାନଙ୍କ ଭରସା। ସହରର ବିଭିନ୍ନ ସ୍ଥାନରେ ଲେମ୍ବୁ ପାଣି, ଲସି ଓ ଦହି ସରବତ ଦୋକାନରେ ଲୋକଙ୍କ ଭିଡ଼ ବଢ଼ିଯାଇଛି।
ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଆହୁରି ଚିନ୍ତା ବଢ଼ାଇଛି। ଆଗାମୀ କିଛି ଦିନ ଯାଏଁ ତାତିରୁ ନିସ୍ତାର ମିଳିବାର ଆଶା କମ୍ ଥିବା ବେଳେ ପାରଦ ଆହୁରି ଉପରକୁ ଯାଇପାରେ ବୋଲି ସତର୍କ କରାଯାଇଛି। ତେଣୁ ଖରାବେଳେ ଘରୁ ନବାହାରିବା, ପ୍ରଚୁର ପାଣି ପିଇବା ଓ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।