ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଖୁବଶୀଘ୍ର ରାଜ୍ୟରେ ନୂତନ ‘ଚଳଚ୍ଚିତ୍ର ନୀତି’ର ପ୍ରଣୟନ ହେବ । ଶୁକ୍ରବାର ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ନକଲ ନୁହେଁ, ନିଜସ୍ୱ ସ୍ୱର ଖୋଜୁ ଓଡ଼ିଆ ସିନେମା- ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଓଡ଼ିଶାର ବହୁ ସୁନାମ ଧନ୍ୟ ଅଭିନେତା, ଅଭିନେତ୍ରୀ, ଲେଖକ, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମାର ଲୋକପ୍ରିୟତା ସମ୍ପର୍କରେ ମତ ରଖି କହିଛନ୍ତି ଯେ ଓଡ଼ିଆ ସିନେମାକୁ କାହାର ନକଲ କରିବା ଦରକାର ନାହିଁ ବରଂ ଏହାକୁ ନିଜସ୍ୱ ସ୍ୱର ଖୋଜିବାକୁ ହେବ । ସେ କହିଥିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କୁ ନେଇ ଗଢ଼ି ଉଠିଥିବା ଓଡ଼ିଆ ସଂସ୍କୃତି, କଳିଙ୍ଗର ସାମୁଦ୍ରିକ ଇତିହାସ, ଆଦିବାସୀ ସଂସ୍କୃତି, ବାତ୍ୟା ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ସଂଘର୍ଷର କାହାଣୀ, ଗ୍ରାମ୍ୟ ଓଡିଶାର ସୁଖଦୁଃଖ, ମହାନଦୀ ଓ ଅନ୍ୟାନ୍ୟ ନଦୀର ନଈକୂଳିଆ ଜନଜୀବନ ଇତ୍ୟାଦି ଅନେକ ମୌଳିକ ବିଷୟ ରହିଛି । ଓଡ଼ିଆ ଜନଜୀବନ ସହିତ ଯୋଡି ହୋଇଥିବା ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କଲେ, ଲୋକଙ୍କ ମନକୁ ଆକର୍ଷିତ କରିପାରିବ ବୋଲି ସେ ମତ ଦେଇଥିଲେ।
ସ୍ଥାପନ ହେବ ଫିଲ୍ମ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ
ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦକ୍ଷତା ହାସଲ କରିବା ପାଇଁ ଓଡ଼ିଶାରେ ଫିଲ୍ମ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟର ଏକ ପ୍ରତିଷ୍ଠାନ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଓଡ଼ିଆ ଚଳଚ୍ଚିତ୍ର ଅବନତିକୁ ନେଇ କ୍ଷୋଭ ପ୍ରକାଶ କରି ପୂର୍ବ ସରକାରକୁ ଟାର୍ଗେଟ୍ କରିଛନ୍ତି । ଗତ ସରକାର ଏ ଦିଗରେ ଧ୍ୟାନ ଦେଇ ନ ଥିଲେ, କିନ୍ତୁ ଏବେ ଓଡ଼ିଆ ଅସ୍ମିତାର ସରକାର ଆସିଛି। ଏବେ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ଅର୍ଥ କେବେ ହେଲେ ବାଧକ ହେବ ନାହିଁ ଏବଂ ଖୁବ୍ ଶୀଘ୍ର ରାଜ୍ୟରେ ଏକ ଶକ୍ତିଶାଳୀ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ୨୦୩୬ ରେ ଓଡ଼ିଶା ଯେଉଁ ଶତାବ୍ଦୀର ବର୍ଷ ପାଳନ କରିବାକୁ ଯାଉଛି ସେଥିରେ ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଜିର ବାର୍ତ୍ତାଳାପ ଆଗାମୀଦିନରେ ଆମ ଚଳଚ୍ଚିତ୍ର ଶିଳ୍ପକୁ ଆଗେଇନେବ ବୋଲି ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡକ୍ଟର ବିଜୟ କେତନ ଉପାଧ୍ୟାୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ସିନେ ଜଗତର ଲୋକପ୍ରିୟ କଳାକାର ଅନୁଭବ ମହାନ୍ତି, ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସିନେ ଟେକ୍ନିସିଆନମାନେ ଏହି ଆଲୋଚନାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହି ସମସ୍ତ କଳାକାର ଓ ଚଳଚ୍ଚିତ୍ର କର୍ମୀଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ସେଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।