ଭୁବନେଶ୍ୱର: ତେଲ ଯନ୍ତ୍ରଣା ଲୋକଙ୍କୁ ହନ୍ତସନ୍ତ କରୁଥିବାବେଳେ ଏବେ ବସ୍ ଭଡ଼ା ବଢ଼ିଛି । ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର୍ ପିଛା ୨ ପଇସା ବଢ଼ିଥିବାବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍ ଭଡ଼ା ୪ରୁ ୬ ପଇସା ବୃଦ୍ଧି ପାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସାଧାରଣ ବସ୍ ଭଡ଼ା କିଲୋମିଟର୍ ପିଛା ୮୮ ପଇସା ଥିବା ବେଳେ ବର୍ଦ୍ଧିତ ଦର ସହ ୯୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୨ ପଇସାରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ବସ୍ ଭଡ଼ା ୧୨୭ ପଇସାରୁ ବୃଦ୍ଧି ପାଇ ୧୩୧ ପଇସା, ଏସି ଡିଲକ୍ସ ୧୫୫ ପଇସାରୁ ୧୫୯ ପଇସା ଓ ସୁପର ଡିଲକ୍ସ ଭଡ଼ା ୨୪୧ ପଇସାରୁ ୨୪୭ ପଇସାକୁ ବୃଦ୍ଧି ପାଇଛି ।
ପେଟ୍ରୋଲ୍ ଓ ଡିଜେଲ୍ ବୃଦ୍ଧି ହେବା ପରେ ବସ୍ ମାଲିକ ସଂଘ ମଧ୍ୟ ଭଡ଼ା ବଢ଼ାଇବାକୁ ବାରମ୍ବାର ଦାବି କରି ଆସୁଥିଲେ ।