ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର। ବିସିସିଆଇ ଏବେ ସୂଚନା ଅଧିକାର ଆଇନ (RTI) ପରିସରଭୁକ୍ତ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ସୂଚନା ଆୟୋଗ (CIC)। ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ସିଆଇସି କହିଛନ୍ତି ଯେ, ବିସିସିଆଇ କୌଣସି ‘ସାର୍ବଜନୀନ ପ୍ରାଧିକରଣ’ (Public Authority) ନୁହେଁ।
ଏହି ସଂସ୍ଥା ଉପରେ ସରକାରଙ୍କର କୌଣସି ମାଲିକାନା କିମ୍ବା ସିଧାସଳଖ ନିୟନ୍ତ୍ରଣ ନାହିଁ, କିମ୍ବା ବୋର୍ଡ ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା ମଧ୍ୟ ନିଏ ନାହିଁ। ଏହି ନିଷ୍ପତ୍ତି ସହ କ୍ରିକେଟ୍ ବୋର୍ଡ କେଉଁ ଆଧାରରେ ଦେଶର ପ୍ରତିନିଧିତ୍ୱ କରୁଛି ଏବଂ ଖେଳାଳି ଚୟନ କରୁଛି, ସେ ସମ୍ପର୍କିତ ସମସ୍ତ ଆରଟିଆଇ ଆବେଦନକୁ କମିଶନ ଖାରଜ କରିଦେଇଛନ୍ତି।
ଏକ ବେସରକାରୀ ଓ ସ୍ଵାୟତ୍ତ ସଂସ୍ଥା ହେଉଛି ବିସିସିଆଇ
କେନ୍ଦ୍ରୀୟ ସୂଚନା ଆୟୋଗ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ବିସିସିଆଇ ହେଉଛି ‘ତାମିଲନାଡୁ ସୋସାଇଟି ପଞ୍ଗୀକରଣ ଅଧିନିୟମ’ ଅଧୀନରେ ପଞ୍ଜୀକୃତ ଏକ ବେସରକାରୀ ତଥା ସ୍ୱାୟତ୍ତ ଶାସିତ ସଂସ୍ଥା। ଏହାର ଗଠନ ସମ୍ବିଧାନ, ସଂସଦ କିମ୍ବା କୌଣସି ରାଜ୍ୟ ବିଧାନସଭା ଦ୍ଵାରା ହୋଇନାହିଁ, କିମ୍ବା ଏହା କୌଣସି ସରକାରୀ ବିଜ୍ଞପ୍ତି ଦ୍ୱାରା ସୃଷ୍ଟି ହୋଇନାହିଁ।
ସୂଚନା କମିଶନର ପି. ଆର୍. ରମେଶ ନିଜ ନିର୍ଦ୍ଦେଶରେ ପ୍ରକାଶ କରିଛନ୍ତି ଯେ, RTI ଆକ୍ଟର ଧାରା ୨(ଏଚ୍) ଅନୁଯାୟୀ ବିସିସିଆଇକୁ ସାର୍ବଜନୀନ ସଂସ୍ଥା ଶ୍ରେଣୀରେ ରଖାଯାଇପାରିବ ନାହିଁ। ତେଣୁ ଏହି ମାମଲାରେ ସୂଚନା ଅଧିକାର ଆଇନର କୌଣସି ନିୟମ ଲାଗୁ ହେବ ନାହିଁ।
୨୦୧୮ର ନିଜ ରାୟ ବଦଳାଇଲେ CIC
ଏହି ନୂଆ ନିଷ୍ପତ୍ତି ସହ ସିଆଇସି ନିଜର ପୁରୁଣା ଆଦେଶକୁ ବଦଳାଇ ଦେଇଛନ୍ତି। ୨୦୧୮ ମସିହାରେ ତତ୍କାଳୀନ ସୂଚନା କମିଶନର ଏମ୍. ଶ୍ରୀଧର ଆଚାର୍ଯ୍ୟୁଲୁ ବିସିସିଆଇକୁ RTI ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ବୋର୍ଡକୁ କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ (CPIO) ଏବଂ ପ୍ରଥମ ଅପିଲ୍ ପ୍ରାଧିକରଣ ନିଯուକ୍ତ କରିବାକୁ କୁହାଯାଇଥିଲା। କିନ୍ତୁ ବିସିସିଆଇ ଏହି ନିଷ୍ପତ୍ତିକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁନଃ ସମୀକ୍ଷା
ସେପ୍ଟେମ୍ବର ୨୦game୨୫ରେ ମାଡ୍ରାସ ହାଇକୋର୍ଟ ଏହି ମାମଲାକୁ ପୁଣି ଥରେ ବିଚାର ପାଇଁ ସିଆଇସିକୁ ପଠାଇଥିଲେ। ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ଓ ଆଇନଗତ ସ୍ଥିତିକୁ ପରଖିବା ପରେ ଏବେ କେନ୍ଦ୍ରୀୟ ସୂଚନା ଆୟୋଗ ଏହି ନୂଆ ଆଦେଶ ଜାରି କରି ବିସିସିଆଇକୁ ଆରଟିଆଇ ପରିସରରୁ ମୁକ୍ତ କରିଛନ୍ତି।