ଗୁଆହାଟୀ: ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା ହୋଇଯାଇଛି। ମଙ୍ଗଳବାର ଗୁଆହାଟୀଠାରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକ ପରେ ଦଳ ଘୋଷଣା ହୋଇଛି। ଚଳିତ ସିରିଜ୍ରେ ଦଳର ଟେଷ୍ଟ ଉପ-ଅଧିନାୟକ ପଦକୁ ନେଇ ସବୁଠାରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଷ୍ଟାର୍ ୱିକେଟକିପର ବ୍ୟାଟର ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ଅଭିଜ୍ଞ ଓପନର କେଏଲ୍ ରାହୁଲଙ୍କୁ ଏହି ଗୁରୁଦାୟିତ୍ଵ ଦିଆଯାଇଛି।ସେହିପରି ଦଳରେ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି।
ଆଇପିଏଲ୍ରେ ପନ୍ତଙ୍କ ଅଧିନାୟକତ୍ଵର ପ୍ରଭାବ ତାଙ୍କ ବ୍ୟାଟିଂ ଉପରେ ପଡ଼ୁଥିବାରୁ ଚୟନ କମିଟି ଏଭଳି କଠୋର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଖରାପ ଫର୍ମ କାରଣରୁ ଟି-୨୦ ପରେ ପନ୍ତ ଏବେ ଦିନିକିଆ ଦଳରୁ ମଧ୍ୟ ବାଦ୍ ପଡ଼ିଛନ୍ତି। ଅନ୍ୟପଟେ ଷ୍ଟାର୍ ବୋଲର ଯଶପ୍ରୀତ ବୁମରାଙ୍କୁ ଆଫଗାନିସ୍ତାନ ବିପକ୍ଷ ସମ୍ପୂର୍ଣ୍ଣ ସିରିଜ୍ରୁ ବିଶ୍ରାମ ଦିଆଯାଇଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ କୌଣସି ଦଳରେ ସ୍ଥାନ ମିଳିନାହିଁ।
ଇଶାନ କିଶନନଙ୍କ ଧମାକାଦାର ପ୍ରତ୍ୟାବର୍ତ୍ତନ
ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ପାଇଛନ୍ତି ଈଶାନ କିଶନ। ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ସେ ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି। ଶେଷ ଥର ପାଇଁ ୨୦୨୩ ବିଶ୍ଵକପରେ ସେ ଦିନିକିଆ ଖେଳିଥିଲେ। ଇଶାନଙ୍କ ଏହି ଏଣ୍ଟ୍ରି ସହିତ ସଞ୍ଜୁ ସାମସନଙ୍କ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ ଆଶା ଧୂଳିସାତ ହୋଇଯାଇଛି। ତେବେ ଟେଷ୍ଟ ଦଳରେ ପନ୍ତ ଏବେ ମଧ୍ୟ ପ୍ରଥମ ପସନ୍ଦର ୱିକେଟକିପର ଭାବେ ବଜାୟ ରହିଛନ୍ତି ଏବଂ ଧ୍ରୁବ ଜୁରେଲଙ୍କୁ ତାଙ୍କର ବ୍ୟାକଅପ୍ ଭାବେ ସୁଯୋଗ ମିଳିଛି।
ଭାରତୀୟ ଟେଷ୍ଟ ଟିମ୍
ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, କେଏଲ୍ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପାଡିକଲ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ମାନବ ସୁଥାର, ଗୁରନୁର ବ୍ରାର, ହର୍ଷ ଦୁବେ, ଧ୍ରୁବ ଜୁରେଲ।
ଭାରତୀୟ ଦିନିକିଆ ଟିମ୍
ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେଏଲ୍ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁରନୁର ବ୍ରାର, ହର୍ଷ ଦୁବେ।
ରୋହିତ-ହାର୍ଦ୍ଦିକଙ୍କ ଫିଟନେସ୍ ଉପରେ ନଜର
ଦିନିକିଆ ଦଳରେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାଯାଇଥିଲେ ବି ସେମାନଙ୍କ ଖେଳିବା ନେଇ ଆଶଙ୍କା ରହିଛି। ଆଇପିଏଲ୍ ୨୦୨୬ ସମୟରେ ଦୁହେଁ ଫିଟନେସ୍ ସମସ୍ୟା ଦେଇ ଗତି କରୁଥିବାରୁ, ସେମାନେ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ହିଁ ମଇଦାନକୁ ଓହ୍ଲାଇବେ ବୋଲି ଚୟନ କମିଟି ସ୍ପଷ୍ଟ କରିଛି। ସେହିପରି ରବୀନ୍ଦ୍ର ଜାଡେଜାଙ୍କୁ ଟେଷ୍ଟରୁ ବିଶ୍ରାମ ଦିଆଯାଇଥିବା ବେଳେ ଦିନିକିଆରେ ନୂଆ ଚେହେରାଙ୍କୁ ସୁଯୋଗ ଦେବା ପାଇଁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି।
ଏହି ସିରିଜ୍ ଜରିଆରେ ଗୁରନୁର ବ୍ରାର, ହର୍ଷ ଦୁବେ ଏବଂ ପ୍ରିନ୍ସ ଯାଦବଙ୍କ ଭଳି ଯୁବ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସୁଯୋଗ ମିଳିଛି। ଏହି ତିନି ଖେଳାଳି ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିଲେ, ଯାହାର ପୁରସ୍କାର ସେମାନଙ୍କୁ ଏବେ ମିଳିଛି।