ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ୨୦୨୬ର ରୋମାଞ୍ଚ ଏହି ମାସରେ ଶେଷ ହେବାକୁ ଯାଉଛି। ଏହା ପରେ ପୁଣି ଥରେ ଆନ୍ତର୍ଜାତୀୟ କ୍ରିକେଟ୍ର ମାହୋଲ ଜମିବ। ଆଇପିଏଲ୍ ପରେ ଭାରତୀୟ ଦଳ ନିଜର ପ୍ରଥମ ସିରିଜ୍ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଆଫଗାନିସ୍ତାନ ଦଳ ଭାରତ ଗସ୍ତରେ ଆସି ୧ଟି ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ଜୁନ୍ ୬ ତାରିଖରୁ ଏହି ସିରିଜ୍ ଆରମ୍ଭ ହେବାକୁ ଥିବାବେଳେ ଗୁଆହାଟୀରେ ଏଥିପାଇଁ ଭାରତୀୟ ଦଳର ଘୋଷଣା କରାଯାଇପାରେ।
ତେବେ ଏହି ଟିମ୍ ସେଲେକ୍ସନ ବେଳେ କିଛି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଦେଖିବାକୁ ମିଳିପାରେ। ସୂତ୍ର ଅନୁସାରେ, ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିନିକିଆ ଦଳରୁ ଏବଂ ଘାତକ ପେସର ଯଶପ୍ରୀତ ବୁମରାଙ୍କୁ ଟେଷ୍ଟ ଦଳରୁ ବିଶ୍ରାମ ଦିଆଯାଇପାରେ। ଏହା ବ୍ୟତୀତ ଚୟନକର୍ତ୍ତାଙ୍କ ନଜରରେ ଆହୁରି କିଛି ବଡ଼ ପରିବର୍ତ୍ତନ ରହିଛି।
୧. ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!
ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ପୁଣି ଥରେ ଚିନ୍ତାର କାରଣ ପାଲଟିଛି। ପିଠିର ସମସ୍ୟା ଯୋଗୁଁ ସେ ଆଇପିଏଲ୍ ୨୦୨୬ ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କେତେକ ମ୍ୟାଚ୍ ଖେଳିପାରି ନାହାନ୍ତି। ସେ ଏବେ ସୁସ୍ଥ ହେବା ପ୍ରକ୍ରିୟାରେ ଅଛନ୍ତି ଏବଂ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଶେଷ ଗ୍ରୁପ୍ ମ୍ୟାଚ୍ରେ ସେ ପଡ଼ିଆକୁ ଓହ୍ଲାଇ ପାରନ୍ତି। ମାତ୍ର ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିବା ନେଇ ବଡ଼ ଆଶଙ୍କା ଦେଖାଦେଇଛି।
୨. ବୁମରାଙ୍କୁ ବିଶ୍ରାମ, ସାମିଙ୍କୁ ମିଳିବ ସୁଯୋଗ!
କ୍ରମାଗତ କ୍ରିକେଟ୍ ଖେଳୁଥିବା ଯଶପ୍ରୀତ ବୁମରାଙ୍କ ୱର୍କଲୋଡକୁ ଦୃଷ୍ଟିରେ ରଖି ସେଲେକ୍ଟରମାନେ ତାଙ୍କୁ ଟେଷ୍ଟ ମ୍ୟାଚ୍ରୁ ବିଶ୍ରାମ ଦେଇପାରନ୍ତି। ଯଦି ବୁମରାଙ୍କୁ ଆରାମ ମିଳେ, ତେବେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ପୁଣି ଥରେ ଭାରତୀୟ ଟେଷ୍ଟ ଦଳକୁ ଫେରିବାର ସୁଯୋଗ ମିଳିପାରେ।
୩. ସାଈ ସୁଦର୍ଶନଙ୍କ ଜାଗାରେ ଦେବଦତ୍ତ ପାଡିକ୍କଲ
ଘରୋଇ କ୍ରିକେଟ୍ରେ ଚଳିତ ସିଜନରେ ରେଡ୍ ବଲ୍ (ଟେଷ୍ଟ) କ୍ରିକେଟ୍ରେ ରନ୍ର ପାହାଡ଼ ଠିଆ କରିଥିବା ଦେବଦତ୍ତ ପାଡିକ୍କଲଙ୍କୁ ଚୟନକର୍ତ୍ତା ପୁରସ୍କାର ଦେଇପାରନ୍ତି। ବିଭିନ୍ନ ରିପୋର୍ଟ ଅନୁସାରେ, ଟେଷ୍ଟ ଦଳରୁ ସାଈ ସୁଦର୍ଶନଙ୍କୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ପାଡିକ୍କଲଙ୍କୁ ସୁଯୋଗ ଦେବାକୁ ଯୋଜନା ଚାଲିଛି।
୪. ଦିନିକିଆ ଦଳରୁ ଋଷଭ ପନ୍ତ ବାଦ୍ ?
ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଏହି ସିରିଜ୍ ନିରାଶାଜନକ ହୋଇପାରେ। ପନ୍ତଙ୍କ ବ୍ୟାଟ୍ ପ୍ରାୟତଃ ଶାନ୍ତ ରହୁଥିବାରୁ ତାଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇପାରେ। ସେଲେକ୍ଟରମାନଙ୍କ ପ୍ରଥମ ପସନ୍ଦ ଏବେ କେ.ଏଲ୍. ରାହୁଲ ଥିବାବେଳେ, ଦ୍ୱିତୀୟ ୱିକେଟକିପର ଭାବେ ଚମତ୍କାର ଫର୍ମରେ ଥିବା ସଞ୍ଜୁ ସାମସନ କିମ୍ବା ଈଶାନ କିଷାନଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ।
୫. 'ପ୍ରିନ୍ସ ଯାଦବ'ଙ୍କୁ ମିଳିବ ଟିମ୍ ଇଣ୍ଡିଆ ଟିକେଟ୍!
ଆଇପିଏଲ୍ ୨୦୨୬ ରେ ନିଜର ଦ୍ରୁତ ଗତି ଏବଂ ଚମତ୍କାର ବୋଲିଂ ଶୈଳୀ ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଯୁବ ବୋଲର ପ୍ରିନ୍ସ ଯାଦବଙ୍କୁ ନେଇ ବଡ଼ ନିଷ୍ପତ୍ତି ହୋଇପାରେ। ସେଲେକ୍ଟରମାନେ ତାଙ୍କ ପ୍ରଦର୍ଶନରେ ବେଶ୍ ପ୍ରସନ୍ନ ଥିବାରୁ ପ୍ରିନ୍ସଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ମିଳିବାର ସମ୍ଭାବନା ସବୁଠାରୁ ଅଧିକ ରହିଛି।