ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ନଉପଳା ଗାଁରେ ଘଟିଛି ଏକ ଛାତିଥରା ଘଟଣା। ଦୀର୍ଘଦିନର ନିର୍ଯାତନା ଶେଷରେ ନେଇଛି ଭୟଙ୍କର ମୋଡ଼। ଜଣେ ବୋହୂ ନିଜ ଶ୍ୱଶୁରଙ୍କ ଉପରେ ଫୁଟନ୍ତା ତେଲ ଢାଳି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, କୁସ୍ମିତା ବେହେରା ନାମକ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ୧୩ ବର୍ଷର ଝିଅ ସହ ଶ୍ୱଶୁର ଶ୍ରୀକାନ୍ତ ଭୂତିଆଙ୍କ ଘରେ ରହୁଥିଲେ। ପଡ଼ୋଶୀଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ଧରି ଶ୍ରୀକାନ୍ତ କୁସ୍ମିତାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଥିଲେ। ଝିଅର ପାଠପଢ଼ା ପାଇଁ କୁସ୍ମିତାଙ୍କୁ ଦିନମଜୁରି କରିବାକୁ ପଡ଼ୁଥିବା ବେଳେ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା।
ସୋମବାର ସକାଳେ ଶ୍ରୀକାନ୍ତ କୁସ୍ମିତା ଓ ତାଙ୍କ ଝିଅକୁ ଘର ଭିତରେ ତାଲା ପକାଇ ରଖିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାବେଳେ ଖାଦ୍ୟ ପ୍ରସ୍ତୁତ ସମୟରେ ସେ ଚୁଲିରେ ତେଲ ଗରମ କରୁଥିଲେ। ଏହି ସମୟରେ ଦୁଆର ଖୋଲିବାମାତ୍ରେ କୁସ୍ମିତା ରାଗରେ ଫୁଟୁଥିବା ତେଲ ତାଙ୍କ ଉପରେ ଢାଳି ଦେଇଥିବା କୁହାଯାଉଛି।
ଏହି ଆକ୍ରମଣରେ ଶ୍ରୀକାନ୍ତଙ୍କ ଛାତି, ପେଟ ଓ ମୁହଁ ଗୁରୁତର ଭାବେ ପୋଡ଼ିଯାଇଛି। ତାଙ୍କୁ ତୁରନ୍ତ ପୋଲିସ ପିସିଆର ଭ୍ୟାନରେ ପରଜଙ୍ଗ ମେଡିକାଲକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି।
ଘଟଣା ପରେ ପୋଲିସ ନଉପଳା ଗାଁରେ ପହଞ୍ଚି କୁସ୍ମିତାଙ୍କୁ ଅଟକ ରଖିଛି। ପରଜଙ୍ଗ ଥାନାରେ ତାଙ୍କୁ ପଚରାଉଚରା ଚାଲିଛି। ଘଟଣାର ପୂରା ସତ୍ୟ କଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।