ଭୁବନେଶ୍ୱର: ଯଦି ଆପଣଙ୍କ ଘରେ କୌଣସି ଜରୁରୀ କିମ୍ବା ନିତ୍ୟ ବ୍ୟବହାର ଔଷଧ ଆବଶ୍ୟକ ଅଛି, ତେବେ ଆଜି ହିଁ ତାହା କିଣି ରଖନ୍ତୁ। କାରଣ ଆସନ୍ତାକାଲି ସାରା ଓଡ଼ିଶାରେ ବନ୍ଦ ରହିବ ଔଷଧ ଦୋକାନ। ଅନ୍ଲାଇନ୍ରେ ବଢ଼ୁଥିବା ଔଷଧ ବିକ୍ରୟକୁ କଡ଼ା ବିରୋଧ କରି ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍’ ବା (ୟୁସିଡିଏ) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ରାଜ୍ୟର ୩୫ ହଜାରରୁ ଅଧିକ ଔଷଧ ଦୋକାନରେ ତାଲା ଝୁଲିବ।
ଏହି ଆନ୍ଦୋଳନ କେବଳ ଓଡ଼ିଶାରେ ସୀମିତ ନୁହେଁ। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ସାରା ଦେଶର ପ୍ରାୟ ୧୨ ଲକ୍ଷ ମେଡିସିନ୍ ଷ୍ଟୋର ବ୍ୟବସାୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଡ୍ରଗିଷ୍ଟ ସଂଘର ଅଭିଯୋଗ, କରୋନା ମହାମାରୀ ସମୟରେ ଜରୁରୀ ପରିସ୍ଥିତି ପାଇଁ ଅନ୍ଲାଇନ୍ ଫାର୍ମାସିକୁ ଯେଉଁ ସାମୟିକ ଅନୁମତି ଦିଆଯାଇଥିଲା, ସରକାର ଏପର୍ଯ୍ୟନ୍ତ ତାହା ପ୍ରତ୍ୟାହାର କରିନାହାନ୍ତି। ଏହାର ଫାଇଦା ଉଠାଇ ଇ-ଫାର୍ମାସି କମ୍ପାନୀମାନେ ବେଧଡ଼କ ଔଷଧ ବିକ୍ରି କରୁଛନ୍ତି, ଯାହାର ପ୍ରଭାବରେ ସ୍ଥାନୀୟ ଦୋକାନୀଙ୍କ ଜୀବିକା ଗଭୀର ସଂକଟରେ ପଡ଼ିଛି।
ୟୁସିଡିଏର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି, ଅନ୍ଲାଇନ୍ରେ ଅନିୟନ୍ତ୍ରିତ ଔଷଧ ବିକ୍ରୟ ନକଲି ଔଷଧ କାରବାରକୁ ମଧ୍ୟ ପ୍ରୋତ୍ସାହନ ଦେଇପାରେ। ତେଣୁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।
ତେବେ ସାଧାରଣ ରୋଗୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସଂଘ ସ୍ପଷ୍ଟ କରିଛି ଯେ, ଜରୁରୀକାଳୀନ ପରିସ୍ଥିତିରେ ଗୁରୁତର ରୋଗୀଙ୍କୁ ଔଷଧ ଯୋଗାଇ ଦିଆଯିବ। ତଥାପି ଲୋକମାନଙ୍କୁ ଆଗୁଆ ସତର୍କ ରହି ଆବଶ୍ୟକ ଔଷଧ ସଂଗ୍ରହ କରି ରଖିବାକୁ ପରାମର୍ଶ ଦିଆଯାଇଛି।