ଭୁବନେଶ୍ୱର: ରାଜସ୍ୱ ସମସ୍ୟାର ସମାଧାନ ପାଇଁ ଆଉ ତହସିଲ ଅଫିସ ଦୌଡ଼ିବାକୁ ପଡ଼ିବନି। ଏଣିକି ତହସିଲ ଅଫିସ ନିଜେ ଗାଁକୁ ଯିବ। ଲୋକଙ୍କ ଦୁଆରେ ପହଞ୍ଚିବ ସରକାରୀ ସେବା। ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଆରମ୍ଭ କରିବାକୁ ଯାଉଛି ନୂଆ ଯୋଜନା “ମୋ ଗାଁ ମୋ ତହସିଲ”। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ବଡ଼ ସୂଚନା ଦେଇଛନ୍ତି।
ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆସୁଥିବା ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ଘର ପାଖରେ ରାଜସ୍ୱ ସେବା ପାଇପାରିବେ। ପ୍ରତି ବ୍ଲକରେ ପ୍ରତି ମାସରେ ପ୍ରାୟ ୨୦୦ଟି କ୍ୟାମ୍ପ ଆୟୋଜନ କରାଯିବ। ଏହି କ୍ୟାମ୍ପରେ ଜମିଜମା ବିବାଦ, ପଟ୍ଟା, ମ୍ୟୁଟେସନ, ରେକର୍ଡ ସଂଶୋଧନ ସହ ଅନ୍ୟାନ୍ୟ ରାଜସ୍ୱ ସମସ୍ୟାର ତୁରନ୍ତ ସମାଧାନ କରାଯିବ।
କେବଳ କ୍ୟାମ୍ପ ନୁହେଁ, ଏହି ଯୋଜନାକୁ ସଫଳ କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଉଛି। ସେମାନେ ଜିଲ୍ଲା ଗସ୍ତ କରିବେ, ଗାଁରେ ରାତି ରହିବେ ଓ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବେ। ଫଳରେ ଲୋକଙ୍କ ସମସ୍ୟାର ସମାଧାନ ଅଧିକ ତ୍ୱରିତ ହେବ ବୋଲି ସରକାର ଆଶା ରଖିଛନ୍ତି।
ଏହାସହ ରାଜ୍ୟର ବିସ୍ଥାପନ ଓ ଥଇଥାନ ନୀତିରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ବିଭିନ୍ନ ରାଜ୍ୟର ନୀତିକୁ ଅନୁଧ୍ୟାନ କରି ଓଡ଼ିଶା ପାଇଁ ନୂଆ ନୀତି ପ୍ରସ୍ତୁତ କରାଯିବ। ସେହିପରି ସହରାଞ୍ଚଳରେ ଚାଷ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ମଧ୍ୟ ଆହୁରି ସରଳ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। “ମୋ ଗାଁ ମୋ ତହସିଲ” ଯୋଜନାକୁ ନେଇ ଗ୍ରାମାଞ୍ଚଳରେ ଏବେ ଆଶା ଓ ଉତ୍ସାହ ଦେଖିବାକୁ ମିଳିଛି।