ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟଣା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଆଜି ସୋମବାର ଭୋର ସମୟରେ ଜାଗମରା ଅଞ୍ଚଳରେ ଥିବା ଏକ ଫୁଡ୍ କୋର୍ଟରେ ହଠାତ୍ ଦାଉଦାଉ ନିଆଁ ଲାଗିଯାଇଥିଲା। ଘରୋଇ କଲେଜ ନିକଟରେ ଥିବା ଏହି ଫୁଡ୍ କୋର୍ଟରୁ ଭୋର ସାଢ଼େ ୪ଟା ବେଳେ ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ।
ଦେଖୁ-ଦେଖୁ ନିଆଁ ୪ଟି ଦୋକାନକୁ ଗ୍ରାସ କରିଥିଲା। ଦୋକାନ ଭିତରେ ଥିବା ଖାଦ୍ୟ ସାମଗ୍ରୀ, ଫ୍ରିଜ୍, ଫର୍ଣିଚର ସହ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଅଳ୍ପକେ ପାଖପାଖି ଦୋକାନଗୁଡ଼ିକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଖବର ପାଇ ତମାଣ୍ଡୋ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରାଥମିକ ତଦନ୍ତରୁ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ଏହାର ଠିକ୍ ଦିନକ ପୂର୍ବରୁ ରସୁଲଗଡ଼ରେ ମଧ୍ୟ ଏକ ଟାୟାର ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଟାୟାର ଜଳିବାରୁ କଳା ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିଲା। ଲଗାତାର ଏଭଳି ଅଗ୍ନିକାଣ୍ଡ ଘଟଣା ରାଜଧାନୀରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।