ସମ୍ବଲପୁରରେ ଅପରାଧୀଙ୍କ ବିରୋଧରେ ପୁଲିସର ବଡ଼ ଅପରେସନ୍। ମାତ୍ର ୬ ଦିନର ସ୍ୱତନ୍ତ୍ର ଅଭିଯାନରେ ଅପରାଧ ଜଗତକୁ ଦୋଳାଇଦେଇଛି ସମ୍ବଲପୁର ପୁଲିସ। ମେ’ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ଜିଲ୍ଲାର ବିଭିନ୍ନ ଅପରାଧୀଙ୍କୁ ଟାର୍ଗେଟ୍ କରାଯାଇଥିଲା।
ଅଭିଯାନ ସମୟରେ ପୁଲିସ ୫୦ ଜଣ ୱାରେଣ୍ଟିଙ୍କୁ ଗିରଫ କରିଥିବା ବେଳେ ୪୯ଟି ପୁରୁଣା ମାମଲାର ସମାଧାନ କରିଛି। ଗଞ୍ଜେଇ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ୨ଟି NDPS ମାମଲା ରୁଜୁ ସହ ୨ ଜଣ ବଡ଼ ଗଞ୍ଜେଇ ଚୋରାଚାଳାନକାରୀଙ୍କୁ ଧରିଛି ପୁଲିସ। ସେମାନଙ୍କ ପାଖରୁ ୮.୩୧ କିଲୋ ଗଞ୍ଜେଇ, ଟଙ୍କା, ଏକ କାର୍, ୫ଟି ମୋବାଇଲ୍ ଓ ପ୍ରାୟ ୧୨୦୦ ବୋତଲ ନିଷିଦ୍ଧ କଫ୍ ସିରପ ଜବତ ହୋଇଛି। ଏହାସହ ଏକ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ମଧ୍ୟ ମିଳିଛି।
ଅବୈଧ ମଦ କାରବାର ଉପରେ ମଧ୍ୟ ଚଢ଼ାଉ କରି ୩୬ଟି ମାମଲା ରୁଜୁ କରାଯାଇଛି। ୩୦୯ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି। ଏପଟେ ବେଆଇନ ଅସ୍ତ୍ର କାରବାରରେ ଜଡିତ ଅପରାଧୀଙ୍କ ବିରୋଧରେ ୩ଟି ମାମଲା ରୁଜୁ କରି ୮୬ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଧରାଯାଇଛି।
ରାତିଅଧିଆ ଚେକିଂ ସମୟରେ ୪୫ ଜଣ ମଦ୍ୟପ ଗାଡ଼ିଚାଳକଙ୍କୁ ଧରି ୪.୩୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ପୁଲିସ। ସମ୍ବଲପୁର ପୁଲିସର ଏହି ମେଗା ଅପରେସନ୍ ଦେଖି ଅପରାଧୀଙ୍କ ମନରେ ଛନକା ପଶିଛି।