ଭୁବନେଶ୍ୱର: ଧାରଣାରେ ଆମ ବସ୍ କର୍ମଚାରୀ। ଦରମା ନ ମିଳିବା ପରେ ଧାରଣାରେ କର୍ମଚାରୀ। ସକାଳୁ ସକାଳୁ ଗଡୁନି ଆମ ବସ୍। ୪ ଦଫା ଦାବି ନେଇ ଭୁବନେଶ୍ୱର ପାତ୍ରପଡା ଭଗବାନପୁର ଡିପୋରେ ଆନ୍ଦୋଳନ କରିଛନ୍ତି ଆମ ବସ କର୍ମଚାରୀ। ଦରମା ନମିଳିବାର ଅଭିଯୋଗକୁ ନେଇ ଭୋର ୪ଟାରୁ ଭଗବାନପୁର ଡିପୋରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ‘ଆମ ବସ୍’ କର୍ମଚାରୀ। ପରିଣାମ ସ୍ୱରୂପ, ୪୫ଟି ରୁଟରେ ୧୧୭ଟି ବସ୍ ସକାଳ ସୁଦ୍ଧା ରାସ୍ତାକୁ ଓହ୍ଲାଇ ପାରିନାହିଁ। ଯାହାର ସିଧା ପ୍ରଭାବ ପଡ଼ିଛି ଦୈନିକ ଯାତ୍ରୀଙ୍କ ଉପରେ। ଅଫିସ୍ ଯିବାକୁ ହେଉ କି ସ୍କୁଲ୍-କଲେଜ୍, ସମସ୍ତେ ହନ୍ତସନ୍ତ।
କର୍ମଚାରୀଙ୍କ ଅଭିଯୋଗ, ମାସ ଶେଷ ହେଲେ ମଧ୍ୟ ସମୟରେ ଦରମା ମିଳୁନାହିଁ। ଠିକ ସମୟରେ ଦରମା ପ୍ରଦାନ ସହ ସଠିକ ସମୟରେ EPF ଏବଂ ESI ଯୋଗାଇ ଦେବା, ପ୍ରତ୍ୟେକ ପିଲା ୩୦ଟା ଡ୍ୟୁଟି ରୁ ଅଧିକ କରିପାରିବେ ନାହିଁ, ଏଫସି କିମ୍ବା ଏଫଏନସି କେସରେ ଯଦି ପାସେଞ୍ଜର କେବଳ ୧୦ ଗୁଣ ଅଥବା ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ ତାହେଲେ ୫୦୦୦ ଟଙ୍କା ଦେବା ଆଉ ତା ସହିତ ୫ ଦିନ ଡ୍ୟୁଟି ବନ୍ଦ କରିବା ଦାବି ନେଇ ଧାରଣା ଦେଇଛନ୍ତି । ଏହାର କିଛି ବ୍ୟବସ୍ଥା ନିହାତି କରିବା ପାଇଁ ସେମାନେ ଦାବି କରିଛନ୍ତି। “ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ,” ବୋଲି ସ୍ପଷ୍ଟ କରିଛନ୍ତି କର୍ମଚାରୀ। ଏପଟେ ସକାଳୁ ସକାଳୁ ବସ୍ ନଚାଲିବାରୁ ରାଜଧାନୀର ଯାତାୟାତ ବ୍ୟବସ୍ଥା ଅସ୍ତବ୍ୟସ୍ତ ହୋଇପଡ଼ିଛି।