ଭୁବନେଶ୍ୱର : ହଜି ଯାଉଥିବା କୀର୍ତ୍ତିକୁ ସାଇତି ରଖି ସ୍ମୃତିକୁ ସତେଜ କରିଥାଏ ସଂଗ୍ରହାଳୟ। ଏହା ପ୍ରାଚୀନ ତଥ୍ୟ ଏବଂ ଅତୀତ ସହ ଭେଟ କରାଏ। ପୁରୁଣା ସାମଗ୍ରୀକୁ ଦେଖିବାର ସୁଯୋଗ ମଧ୍ୟ ଦେଇଥାଏ। ସଂଗ୍ରହାଳୟରେ ଥିବା ଜିନିଷ ପ୍ରତ୍ୟକ୍ଷ, ପ୍ରମାଣ ଓ ତଥ୍ୟ ଉପରେ ଆଧାରିତ। ଏହା ଅତୀତ ପାଇଁ ପ୍ରେରଣା ଦିଏ ଓ ଭବିଷ୍ୟତ ପାଇଁ କର୍ତ୍ତବ୍ୟବୋଧକୁ ଜାଗ୍ରତ କରାଏ। ତେଣୁ ଏହାର ମହତ୍ଵକୁ ପ୍ରତିପାଦିତ କରିବା ପାଇଁ ପ୍ରତିବର୍ଷ ମେ ୧୮ ତାରିଖକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରାଯାଏ। ଏହି ଅବସରରେ ପ୍ରତିବର୍ଷ ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରାଯାଉଛି।
ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ୧୯୭୭ ମସିହାରେ ଆନ୍ତର୍ଜାତୀୟ ପରିଷଦ ସଂଗ୍ରହାଳୟ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା। ଯାହା ସଂଗ୍ରହାଳୟର ସମାଜରେ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସଂଗ୍ରହାଳୟର ବୃଭିଗତମାନଙ୍କୁ ଏକତ୍ରିତ ହେବାକୁ ତଥା ନିଜ ନିଜର ଅଭିଜ୍ଞତା ବାଣ୍ଟିବା ପାଇଁ ମନୋନୀତ କରାଯାଇଥିଲା। ସେହିଦିନ ଠାରୁ ପ୍ରତିବର୍ଷ ଏହି ଦିବସକୁ ବେଶ ଧୂମଧାମରେ ପାଳନ କରାଯାଉଛି। ଏହି ଦିବସ ଅବସରରେ କିଛି ନୂଆ ସଂଗ୍ରହ ସହ ପରିଚିତ ହୁଅନ୍ତି ଲୋକେ।
ପ୍ରତିବର୍ଷ ମେ ୧୮ ରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ହେଉଛି ଏକ ବିଶ୍ବସ୍ତରୀୟ ଉତ୍ସବ। ଯାହାକି ସଂଗ୍ରହାଳୟର ସାଂସ୍କୃତିକ ଅନୁଷ୍ଠାନ ଭାବରେ ଗୁରୁତ୍ବକୁ ଆଲୋକିତ କରିଥାଏ ଏବଂ ସମାଜରେ ସେମାନଙ୍କର ଭୂମିକାକୁ ପ୍ରୋତ୍ସାହିତ କରିଥାଏ। ଆମର ସାମୂହିକ ଐତିହ୍ୟ, କଳା, ଏବଂ ଜ୍ଞାନର ସଂରକ୍ଷଣ, ବ୍ୟାଖ୍ୟା ଏବଂ ଉପସ୍ଥାପନ କରିବାରେ ସଂଗ୍ରହାଳୟଗୁଡ଼ିକ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସଂଗ୍ରହାଳୟର ମହତ୍ଵ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଶିକ୍ଷାର ମହତ୍ଵ ବିଷୟରେ ପ୍ରତିପାଦିତ କରିବା ହେଉଛି ଆମ ସମସ୍ତଙ୍କ କର୍ତ୍ତବ୍ୟ। ଯଦି ଆମେ ଆମ ଅତୀତକୁ ସମ୍ମାନ ଦେବା ତେବେ ଏହା ଇତିହାସରେ ନୂଆ କାହାଣୀ ଲେଖିବ।