ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ହେଲାଣି ତାତି। ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମତ୍ରା। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳିର ଅସ୍ତବ୍ୟସ୍ତ ହେଲାଣି ଜୀବନ। ସକାଳ ୮ଟାରୁ ଅସହ୍ୟ ତାତି। ଘରୁ ବାହାରକୁ ବାହାରିବା ପାଇଁ ଡରୁଛନ୍ତି ଲୋକେ। ଏହି ଅସହ୍ୟ ଖରାରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ। ପେଟ ପାଇଁ ସେମାନେ ଖରାକୁ ଖାତିର ନକରି କାମ କରୁଛନ୍ତି। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଦିନ ୧ ରୁ ୫ ପର୍ଯ୍ୟନ୍ତ କାମ ନ କରିବା ନିର୍ଦେଶ ଦିଆଯାଇଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଏପରିକି ଘରୁବାହାରିବା ବେଳେ ପ୍ରଚୁର ପାଣି ପିଇବା ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହିପରି ତାତି ଅନୁଭୂତ ହେବ। ଆଜି ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢିପାରେ ପାରଦ। ୧୯ ଓ ୨୦ ତାରିଖ ବେଳକୁ ବଲାଙ୍ଗିର, ଟିଟିଲାଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ। ଗତକାଲି ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା। ତେବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଅନେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା, ବଜ୍ରପାତ ଓ ଝଡ଼ ପବନର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୨୦ରୁ ୩୦ ବେଗରେ ପବନ ବହିପାରେ। ତେଣୁ ଆସନ୍ତା ୨୪ ତାରିଖରେ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।