ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଦାଦାଗିରିକୁ ଜବାବ ଦେବା ପାଇଁ ଭାରତ ଏବେ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଫିଲିପାଇନ୍ସ ପରେ ଏବେ ଆଉ ଏକ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଭାରତର ସୁପରସୋନିକ କ୍ରୁଜ୍ ମିସାଇଲ୍ 'ବ୍ରହ୍ମୋସ' କିଣିବାକୁ ଗଭୀର ଆଗ୍ରହ ପ୍ରକାଶ କରିଛି। ଏହି ଦେଶଟି ହେଉଛି ଭିଏତନାମ। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦୁଇ ଦିନିଆ (୧୮-୧୯ ମେ') ହାନୋଇ ଗସ୍ତ ସମୟରେ ଏହି ମେଗା ମିସାଇଲ୍ ଡିଲ୍ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା ହେବାକୁ ଯାଉଛି, ଯାହା ଚୀନ୍ ପାଇଁ ଏକ ବଡ଼ ଝଟ୍କା ସାବ୍ୟସ୍ତ ହେବ।
ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସାମଗ୍ରିକ ଭାବେ ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଅଛନ୍ତି। ସେ ମେ ୧୮-୧୯ ରେ ଭିଏତନାମ ଏବଂ ମେ ୧୯-୨୧ ପର୍ଯ୍ୟନ୍ତ ଦକ୍ଷିଣ କୋରିଆ ଗସ୍ତ କରିବେ। ଏହି ଗସ୍ତ ଆରମ୍ଭ ହେବା ପୂର୍ବରୁ ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବ୍ୟାପକ କରିବା ପାଇଁ ମୁଁ ଦୁଇ ଏସୀୟ ଦେଶର ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛି। ଆମର ମୁଖ୍ୟ ଫୋକସ୍ ରଣନୀତିକ ସାମରିକ ସହଯୋଗକୁ ଗଭୀର କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ମଜବୁତ କରିବା ଏବଂ ସାମୁଦ୍ରିକ ସହଯୋଗକୁ ବୃଦ୍ଧି କରିବା ଉପରେ ରହିବ, ଯାହା ଦ୍ୱାରା ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ବଜାୟ ରହିବ।
ଭିଏତନାମକୁ ଭାରତର ବଡ଼ ସହଯୋଗ
ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ଆରମ୍ଭରେ ଭିଏତନାମର ରାଷ୍ଟ୍ରପତି ଟୋ ଲାମ୍ ଭାରତ ଗସ୍ତରେ ଆସିଥିଲେ। ସେହି ସମୟରେ ଭାରତ ଭିଏତନାମକୁ ୫୦୦ ମିଲିୟନ ଡଲାର (ପ୍ରାୟ ୫୦୦୦ କୋଟି ଟଙ୍କା) ର କ୍ରେଡିଟ୍ ଲାଇନ ପ୍ରଦାନ କରିବାକୁ ଘୋଷଣା କରିଥିଲା। ଏହି ଅର୍ଥରେ ଭିଏତନାମ ପାଇଁ ୩ ରୁ ୪ଟି ଅଫ୍ସୋର ପାଟ୍ରୋଲ ଭେସେଲ (OPV ଜାହାଜ) ଏବଂ ଏକ ଡଜନରୁ ଅଧିକ ହାଇ-ସ୍ପିଡ୍ ପାଟ୍ରୋଲ ବୋଟ୍ ନିର୍ମାଣ କରାଯିବ।
ଚୀନ୍ ସହ ବିବାଦ ମଧ୍ୟରେ ବ୍ରହ୍ମୋସର ଏଣ୍ଟ୍ରି
ଭିଏତନାମ ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବ୍ରହ୍ମୋସ ମିସାଇଲ କିଣିବା ନେଇ ଆଲୋଚନା ହୋଇଥିବା ସ୍ପଷ୍ଟ କରାଯାଇଥିଲା। ତେଣୁ ରାଜନାଥ ସିଂହଙ୍କ ହାନୋଇ ଗସ୍ତ କାଳରେ ଏହି ଚୁକ୍ତି ଉପରେ ମୋହର ବାଜିବାର ପ୍ରବଳ ସମ୍ଭାବନା ରହିଛି। ପୂର୍ବରୁ ୨୦୨୨ ମସିହାରେ ଭାରତ, ଫିଲିପାଇନ୍ସ ସହ ୩୭୫ ମିଲିୟନ ଡଲାର (ପ୍ରାୟ ୩୫୦୦ କୋଟି ଟଙ୍କା)ର ବ୍ରହ୍ମୋସ ଚୁକ୍ତି କରିସାରିଛି।