ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ଉମର ଖାଲିଦ ଏବେ ଶରଜିଲ୍ ଇମାମଙ୍କୁ ଜାମିନ ନମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ଟିପ୍ପଣୀ କରିଛନ୍ତି। ସୋମବାର ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ନିଜର ଏକ ପୂର୍ବ ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ଯେଉଁଥିରେ ଏହି ଦୁଇ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରାଯାଇଥିଲା। ଜମ୍ମୁ-କାଶ୍ମୀରର ଜଣେ ନାର୍କୋ-ଟେରର ମାମଲାର ଅଭିଯୁକ୍ତ ସୟଦ ଇଫ୍ତେଖାର ଅନ୍ଦ୍ରାବୀଙ୍କୁ ଜାମିନ ପ୍ରଦାନ କରିବା ସହ କୋର୍ଟ କହିଛନ୍ତି ଯେ ଉମର ଓ ଶରଜିଲ୍ଙ୍କୁ ବେଲ୍ ନମିଳିବା ନିଷ୍ପତ୍ତି ସହ ସେ ସହମତ ନୁହନ୍ତି।
ୟୁଏପିଏ (UAPA) ଏବଂ ଏନଡିପିଏସ (NDPS) ଆକ୍ଟ ଅଧୀନରେ ଆରୋପର ସମ୍ମୁଖୀନ ହେଉଥିବା ଅନ୍ଦ୍ରାବୀଙ୍କୁ ମୁକ୍ତ କରିବା ସମୟରେ ସୁପ୍ରିମକୋର୍ଟ 'ଟ୍ରାଏଲ୍ ବିନା ଦୀର୍ଘ ସମୟ ଜେଲ୍ରେ ରହିବାକୁ' ମୁଖ୍ୟ ଆଧାର କରିଛନ୍ତି। ଅନ୍ଦ୍ରାବୀଙ୍କୁ ଜୁନ୍ ୨୦२० ରେ ଗିରଫ କରାଯାଇଥିଲା। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ୟୁଏପିଏ ଭଳି କଠୋର ମାମଲାରେ ମଧ୍ୟ ‘ଜାମିନ ଏକ ନିୟମ ଏବଂ ଜେଲ୍ ଏକ ବ୍ୟତିକ୍ରମ’ର ସିଦ୍ଧାନ୍ତ ଲାଗୁ ହେବ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ମାସରେ କୋର୍ଟ ଉମର ଖାଲିଦ ଏବଂ ଶରଜିଲ୍ ଇମାମଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ, ଯଦିଓ ଏହି ମାମଲାର ଅନ୍ୟ ସମସ୍ତ ଅଭିଯୁକ୍ତ ଖଲାସ ହୋଇସାରିଛନ୍ତି।
ଜଷ୍ଟିସ୍ ନାଗରତ୍ନ ଓ ଜଷ୍ଟିସ୍ ଭୁୟାଁଙ୍କ ବେଞ୍ଚ୍ର ବଡ଼ ଆପତ୍ତି
ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ବି. ଭି. ନାଗରତ୍ନ ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୁୟାଁଙ୍କ ଖଣ୍ଡପୀଠ, ଉମର ଓ ଶରଜିଲ୍ଙ୍କୁ ଜାମିନ ନଦେଇଥିବା ଅନ୍ୟ ଏକ କୋର୍ଟ ବେଞ୍ଚ୍ର ନିଷ୍ପତ୍ତି ସହ ଅସହମତି ପ୍ରକାଶ କରିଛନ୍ତି। ସେମାନେ ପ୍ରସିଦ୍ଧ ‘କେ. ଏ. ନଜିବ’ ମାମଲାର ଉଦାହରଣ ଦେଇ କହିଛନ୍ତି, ଅନ୍ଦ୍ରାବୀଙ୍କୁ ଯେଉଁ ନ୍ୟାୟିକ ସିଦ୍ଧାନ୍ତ ଆଧାରରେ ଜାମିନ ଦିଆଯାଉଛି, ତାହା ସୁପ୍ରିମକୋର୍ଟର ଏକ ୩ ଜଣିଆ ବିଚାରପତିଙ୍କ ବେଞ୍ଚ୍ ସ୍ଥିର କରିଥିଲେ। ମାତ୍ର ଉମର ଖାଲିଦଙ୍କ ମାମଲାରେ ଦୁଇ ଜଣିଆ ବିଚାରପତିଙ୍କ ବେଞ୍ଚ୍ ସେହି ବଡ଼ ସିଦ୍ଧାନ୍ତ ବା ଗାଇଡ୍ଲାଇନ୍କୁ ପାଳନ କରିନାହାନ୍ତି।"
‘ବାର୍ ଆଣ୍ଡ୍ ବେଞ୍ଚ୍’ର ରିପୋର୍ଟ ଅନୁସାରେ, ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଜାମିନ ମିଳିବା ଏକ ନିୟମ ଏବଂ ଜେଲ୍ରେ ରଖିବା ଏକ ବ୍ୟତିକ୍ରମ। ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଏବଂ ୨୨ ରୁ ପ୍ରସୂତ ଏକ ସାମ୍ବିଧାନିକ ଅଧିକାର। ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଜଣକୁ ନିର୍ଦ୍ଦୋଷ ବୋଲି ଭାବିବା ଯେକୌଣସି ସଭ୍ୟ ସମାଜ ଓ ଆଇନର ଶାସନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ।