ଲକ୍ଷ୍ନୌ: ବକ୍ରିଦ୍ ପର୍ବ ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବସାଧାରଣ ରାସ୍ତାରେ ନମାଜ ପଢ଼ିବା ପ୍ରସଙ୍ଗରେ ଏକ ବଡ଼ ଓ କଡ଼ା ବୟାନ ଦେଇଛନ୍ତି। ସିଏମ୍ ଯୋଗୀ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯଦି ନମାଜ ପଢ଼ିବାର ଅଛି, ତେବେ ଶିଫ୍ଟ ଅନୁସାରେ ପଢ଼ନ୍ତୁ। ଭଲରେ ବୁଝିଲେ ଠିକ୍, ନହେଲେ ଆଇନ ଅନୁଯାୟୀ ଦ୍ୱିତୀୟ ଉପାୟ ଆପଣାଯିବ। ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଏହି ଚେତାବନୀ ଦେଇଛନ୍ତି।
ୟୁପିରେ ବଦଳିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ସୂଚନା ଦେଇ ସିଏମ୍ କହିଛନ୍ତି, ଲୋକେ ମତେ ପଚାରନ୍ତି ଯେ ଆଜ୍ଞା, ଆପଣଙ୍କ ଉତ୍ତର ପ୍ରଦେଶରେ କଣ ସତରେ ରାସ୍ତାରେ ନମାଜ ପଢ଼ା ହୁଏନାହିଁ? ମୁଁ କହେ, ଜମାରୁ ନାହିଁ। ଆପଣ ନିଜେ ଯାଇ ଦେଖିପାରିବେ, ଏବେ ୟୁପିରେ ଏମିତି ହେଉନାହିଁ। ରାସ୍ତା ହେଉଛି ଯାତାୟାତ ପାଇଁ, କୌଣସି ବ୍ୟକ୍ତି ଛକ ଉପରକୁ ଆସି ତାମସା କରିପାରିବେ ନାହିଁ। କାହାର ବି ରାସ୍ତା ଅବରୋଧ କରିବାର କିମ୍ବା ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି କରିବାର ଅଧିକାର ନାହିଁ। ଯାହାର ଯେଉଁ ଧାର୍ମିକ ସ୍ଥଳ ରହିଛି, ସେ ସେଠାକୁ ଯାଇ ନିଜର ପ୍ରାର୍ଥନା କରନ୍ତୁ।
"ଜାଗା ନାହିଁ ତ ଶିଫ୍ଟରେ କରନ୍ତୁ"
ସିଏମ୍ ଯୋଗୀ ଆଦିତ୍ୟନାଥ ଆଗକୁ କହିଛନ୍ତି ଯେ, ଲୋକେ ମତେ କହିଲେ ସାର୍ ଏହା କେମିତି ସମ୍ଭବ ହେବ? ଆମ ସଂଖ୍ୟା ବହୁତ ଅଧିକ। ମୁଁ କହିଲି, ଶିଫ୍ଟ ଅନୁସାରେ ଭାଗ ଭାଗ କରି ନମାଜ ପଢ଼ନ୍ତୁ। ଯଦି ଆପଣଙ୍କ ଘରେ ରହିବାକୁ ଜାଗା ନାହିଁ, ତେବେ ନିଜ ଜନସଂଖ୍ୟାକୁ ନିୟନ୍ତ୍ରଣ କରନ୍ତୁ। ଯଦି ସାମର୍ଥ୍ୟ ନାହିଁ, ତେବେ ବେକାର୍ରେ ସଂଖ୍ୟା ବଢ଼ାଇବା କଣ ଦରକାର? ଯଦି ଆପଣଙ୍କୁ ବ୍ୟବସ୍ଥା ଓ ସମାଜ ସହ ରହିବାର ଅଛି, ତେବେ ମନେରଖନ୍ତୁ ଯେ ନିୟମ ଓ କାନୁନ୍କୁ ମାନିବାକୁ ହିଁ ପଡ଼ିବ।
ଆଇନ ସମସ୍ତଙ୍କ ପାଇଁ ସମାନ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କେବଳ ଆଇନର ଶାସନ ଚାଲିବ ଏବଂ ଏହା ସମସ୍ତଙ୍କ ଉପରେ ସମାନ ଭାବେ ଲାଗୁ ହେବ। "ନମାଜ ପଢ଼ିବା ଜରୁରୀ, ଆପଣ ଶିଫ୍ଟରେ ପଢ଼ନ୍ତୁ, ସେଥିରେ ଆମେ କୌଣସି ବାଧା ଦେବୁ ନାହିଁ। କିନ୍ତୁ ରାସ୍ତା ଉପରେ ଜମାରୁ ନୁହେଁ। ରାସ୍ତା ଜଣେ ସାଧାରଣ ନାଗରିକ, ଜଣେ ରୋଗୀ, ଜଣେ ଶ୍ରମିକ, ଜଣେ ବ୍ୟବସାୟୀ କିମ୍ବା ସରକାରୀ କର୍ମଚାରୀଙ୍କ ଚଳପ୍ରଚଳ ପାଇଁ ଉଦ୍ଦିଷ୍ଟ। ଆମେ କାହା ପାଇଁ ବି ସର୍ବସାଧାରଣ ରାସ୍ତାକୁ ବନ୍ଦ କରିବାକୁ ଦେବୁନାହିଁ। ସରକାରଙ୍କ ନିୟମ ସାର୍ବଜନୀନ ଏବଂ ଏହା ସମସ୍ତଙ୍କ ପାଇଁ ସମାନ।"
Also Read: ଉମର ଖାଲିଦ ଓ ଶରଜିଲ୍ ଇମାମଙ୍କୁ ଜାମିନ ନମିଳିବା ପ୍ରସଙ୍ଗ, ନିଜ ପୂର୍ବ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ