କୋଲକାତା: ପଶ୍ଚିମବଙ୍ଗର ନବଗଠିତ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ କେତେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ମହିଳା ଓ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇ ସରକାର ୫ଟି ପ୍ରମୁଖ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଣିକି ମହିଳାମାନଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବା ସହ ସରକାରୀ ବସ୍ରେ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ସଫର କରିପାରିବେ। ଏହା ସହିତ ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଗଠନକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।
ମନ୍ତ୍ରୀପରିଷଦ ବୈଠକ ଶେଷ ହେବା ପରେ ପଶ୍ଚିମବଙ୍ଗ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅଗ୍ନିମିତ୍ରା ପଲ୍ ଏକ ପ୍ରେସ୍ ଜରିଆରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି।
କ୍ୟାବିନେଟ୍ ବୈଠକର ପ୍ରମୁଖ ନିଷ୍ପତ୍ତିଗୁଡ଼ିକ
'ଅନ୍ନପୂର୍ଣ୍ଣା ଯୋଜନା'କୁ ମଞ୍ଜୁରୀ
ରାଜ୍ୟ ସରକାର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ 'ଅନ୍ନପୂର୍ଣ୍ଣା ଯୋଜନା' ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ ଆସନ୍ତା ଜୁନ୍ ୧ ତାରିଖରୁ ହିତାଧିକାରୀ ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୩,୦୦୦ ଟଙ୍କା ଲେଖାଏଁ ପଠାଯିବ।
ବସ୍ରେ ମାଗଣା ଯାତ୍ରା
ଆସନ୍ତା ଜୁନ୍ ୧ ତାରିଖରୁ ପଶ୍ଚିମବଙ୍ଗର ସମସ୍ତ ମହିଳାଙ୍କ ପାଇଁ ସରକାରୀ ବସ୍ରେ ଯାତ୍ରା ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ଏଥିପାଇଁ ମହିଳାମାନଙ୍କୁ କୌଣସି ଭଡ଼ା ଦେବାକୁ ପଡ଼ିବ ନାହିଁ।
ସପ୍ତମ ରାଜ୍ୟ ବେତନ କମିଶନ ଗଠନ
ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ଶୁଭେନ୍ଦୁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ କର୍ମଚାରୀ, ସମ୍ବନ୍ଧିତ ସାମ୍ବିଧାନିକ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ସପ୍ତମ ରାଜ୍ୟ ବେତନ କମିଶନ (7th State Pay Commission) ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହାଦ୍ୱାରା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।
ଧାର୍ମିକ ଆଧାରରେ ମିଳୁଥିବା ସହାୟତା ବନ୍ଦ
ଏହି ସବୁ ଜନକଲ୍ୟାଣକାରୀ ଯୋଜନା ବ୍ୟତୀତ ବେଙ୍ଗଲ ସରକାର ଆଉ ଏକ ରଣନୀତିକ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଏଣିକି କୌଣସି ପ୍ରକାରର ଧାର୍ମିକ ବର୍ଗୀକରଣ କିମ୍ବା ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀକୁ ଦିଆଯାଉଥିବା ସରକାରୀ ଆର୍ଥିକ ସହାୟତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କ୍ୟାବିନେଟ୍ରେ ସହମତି ପ୍ରକାଶ ପାଇଛି। ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସମାନତା ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।