ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗାରେ ଜମିବାଡ଼ି ବିବାଦ ନେଇ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ସୋମବାର ସକାଳେ ଘାସ କାଟିବାକୁ ବିଲକୁ ଯାଇଥିବା ଜଣେ ମହିଳାଙ୍କୁ ଖୁଡୁତାଶୂର ଓ ତାଙ୍କ ପରିବାର ଲୋକେ ଅତ୍ୟନ୍ତ ନିର୍ମମଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅକରପଡା ଗ୍ରାମର ସ୍ଵର୍ଣ୍ଣଲତା ସାହୁ।
ସ୍ଵର୍ଣ୍ଣଲତା ବିଲରେ ଘାସ କାଟୁଥିବା ବେଳେ ପୂର୍ବରୁ ଚାଲିଥିବା ଜମି ବିବାଦକୁ କେନ୍ଦ୍ର କରି ଖୁଡୁତାଶୂର ଚନ୍ଦ୍ରମଣି ସାହୁ ଓ ତାଙ୍କ ପରିବାର ଲୋକେ ତାଙ୍କୁ ଘେରିଯାଇଥିବା କୁହାଯାଉଛି। ପରେ କୋଦାଳ, କଟୁରୀ ଓ ଟାଙ୍ଗିଆ ଭଳି ଧାରୁଆ ଅସ୍ତ୍ରରେ ମୁଣ୍ଡ, ବେକ, ଛାତି ଓ ପିଠିକୁ ହାଣିଲେ। ଘଟଣାସ୍ଥଳ ରକ୍ତରେ ରଞ୍ଜିତ ହୋଇଯାଇଥିଲା।
ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ସ୍ଵର୍ଣ୍ଣଲତାଙ୍କୁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସ୍ଵର୍ଣ୍ଣଲତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏହି ନିର୍ମମ ହତ୍ୟାକାଣ୍ଡ ପରେ ଅକରପଡା ଗ୍ରାମରେ ଚଞ୍ଚଳତା ଖେଳିଯାଇଛି। ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ସାହୁଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।