ବଣାଇ: ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଘଟିଲା ଅଘଟଣ। ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଧୀନ ଫରେଷ୍ଟ ନର୍ସରୀ ନିକଟରେ ରବିବାର ଅପରାହ୍ନରେ ଦୁଇ ଯୁବକ ନଦୀରେ ବୁଡ଼ିଯାଇଥିବା ବେଳେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ଦୁଇ ସ୍ଥାନୀୟ ଯୁବକ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ହଠାତ୍ ଗଭୀର ପାଣିକୁ ଚାଲିଯାଇ ଉଭୟ ବୁଡ଼ିଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ନଦୀକୁ ଝାପ ଦେଇ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଅନ୍ୟ ଯୁବକ ନଦୀ ସ୍ରୋତରେ ଭାସିଯାଇଥିବାରୁ ତାଙ୍କର ଏପର୍ଯ୍ୟନ୍ତ କୌଣସି ଖୋଜଖବର ମିଳିନାହିଁ।
ଖବର ପାଇ ଅଗ୍ନିଶମ ବାହିନୀ ଓ ବଣାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୋଟରବୋଟ୍ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।