କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼। ସୁନ୍ଦରଗଡ଼ ଟାଉନ ଥାନା ମିଶନ ରୋଡରେ ଗୁଳିମାଡ ହୋଇଛି। ମା ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘର ଉପରକୁ ରାତିରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଏହି ଘଟଣା ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, କିଛି ଯୁବକ ପ୍ରଥମେ ସଞ୍ଜୟ ନନ୍ଦଙ୍କ ଘରକୁ ଆସି ସେଠାରେ ଥିବା ସୁରକ୍ଷା କର୍ମୀଙ୍କ ସହ ବଚସା କରିଥିଲେ। କିଛି ସମୟ ଧରି ହଙ୍ଗାମା କରିବା ପରେ ସେମାନେ ସେଠାରୁ ଚାଲିଯାଇଥିଲେ। କିନ୍ତୁ ଘଟଣା ସେଇଠାରେ ଶେଷ ହୋଇନଥିଲା। କିଛି ସମୟ ପରେ ସେହି ଯୁବକମାନେ ପୁଣିଥରେ ମୋଟରସାଇକେଲରେ ଆସି ଘର ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ।
ଘର ବାହାରେ ଥିବା ସୁରକ୍ଷା କର୍ମୀ ଅଳ୍ପକେ ଏଥିରୁ ବର୍ତ୍ତିଯାଇଥିଲେ। ସୌଭାଗ୍ୟବଶତଃ ଏହି ଗୁଳିମାଡ଼ରେ କେହି ଆହତ ହୋଇନାହାନ୍ତି। ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ପୋଲିସ ଘଟଣାସ୍ଥଳରୁ କିଛି ଅସ୍ତ୍ର ଓ ଗୁଳିର ଖୋଳ ଜବତ କରିଛି। ଏହି ଗୁଳିମାଡ଼ ପଛରେ ବେଆଇନ କୋଇଲା କାରବାର ଓ ବ୍ୟବସାୟିକ ଶତ୍ରୁତା ଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତର ତଦାରଖ କରୁଛନ୍ତି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଧରିବା ପାଇଁ ଚଢ଼ାଉ ଜାରି ରହିଛି।