ଭୁବନେଶ୍ୱର: ପୁଣି ରାଜ୍ୟରେ ବଢ଼ିଲା ତାତି। ଫଳରେ ସକାଳୁ ସକାଳୁ ପାଗରେ ପରିବର୍ତ୍ତନ। ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୁବ କଲେଣି ରାଜ୍ୟବାସୀ। ଗ୍ରୀଷ୍ମର ପ୍ରଚଣ୍ଡ ପ୍ରକୋପରେ ସାରା ଓଡ଼ିଶା ଜଳୁଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ସବୁଠାରୁ ଅଧିକ ସଙ୍ଗୀନ ହୋଇପଡ଼ିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନ ୧ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ତେବେ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।
ଏହି ଅସହ୍ୟ ଖରାରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ। ପେଟ ପାଇଁ ସେମାନେ ଖରାକୁ ଖାତିର ନକରି କାମ କରୁଛନ୍ତି। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଦିନ ୧ ରୁ ୫ ପର୍ଯ୍ୟନ୍ତ କାମ ନ କରିବା ନିର୍ଦେଶ ଦିଆଯାଇଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଏପରିକି ଘରୁବାହାରିବା ବେଳେ ପ୍ରଚୁର ପାଣି ପିଇବା ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆହୁରି ୩ ଦିନ ପର୍ଯ୍ୟନ୍ତ ଏହିପରି ଅସହ୍ୟ ତାତି ଅନୁଭବ କରିବେ ରାଜ୍ୟବାସୀ।