ଭୁବନେଶ୍ୱର: ତୈଳ ସଙ୍କଟକୁ ନେଇ ଆଶ୍ୱସ୍ତି ଖବର ଆସିଛି । ରାଜ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବା ନେଇ କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ସଞ୍ଜୟ ଲାଠ । ତେଲ ସ୍ଥିତିରେ ସୁଧାର ଆଣିବାକୁ ରବିବାର ମଧ୍ୟ ଡିପୋ ଖୋଲା ରହିବ ।
ରାଜ୍ୟରେ ତେଲ ସଙ୍କଟ ନେଇ ପୁଣି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହିଭଳି ଉତ୍କଳ ପେଟ୍ରୋଲିୟମ୍ ଡିଲର ଆସୋସିଏସନ୍ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ଯେ ଦୁଇ ଦିନ ଅତ୍ୟଧିକ ମାତ୍ରାରେ ତେଲ ବିକ୍ରି ଯୋଗୁଁ ଅଭାବ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଲ ସରିଯିବା ଭୟରେ ଲୋକେ ତେଲ କିଣିଥିଲେ । କିନ୍ତୁ ଏବେ ସ୍ଥିତିରେ ସୁଧାର ଆସୁଛି । ରବିବାର ଦିନ ମଧ୍ୟ ତୈଳ ଡିପୋ ଗୁଡ଼ିକ ଖୋଲା ରହିବ । ରବିବାର ସନ୍ଧ୍ୟା କିମ୍ବା ସୋମବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ସେ ଆଶ୍ୱସନା ଦେଇଛନ୍ତି ।
ବୈଠକ ପରେ ଆଇଓସିଏଲ୍ ସିଜିଏମ୍ କମଲ ସିଲ କହିଛନ୍ତି ଯେ ରାଜ୍ୟରେ ପ୍ରଚୁର ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି । ୨ ଦିନ ଅତ୍ୟଧିକ ବିକ୍ରି ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ସମସ୍ତ ପମ୍ପରେ ଷ୍ଟକ୍ ରଖାଯିବ । ସବୁ ଜାଗାରେ ଷ୍ଟକ୍ ରଖିବାକୁ ଆଗକୁ ବ୍ୟବସ୍ଥା ହେବ । ତେଣୁ ଅଯଥା ଧାଡ଼ିରେ ନ ରହି ଅନ୍ୟ ଟାଙ୍କିରେ ତେଲ ପକାଇବାକୁ ପରାମର୍ଶ ଦେଇଛି । ଓଡ଼ିଶାରେ ମୋଟ୍ ୨୮୦୦ ତାଙ୍କି ସେଥିମଧ୍ୟରୁ ୮୦ଟା ପୂର୍ବରୁ ବିଭିନ୍ନ କାରଣରୁ ବନ୍ଦ ଥିଲା । ଯେଉଁ ପେଟ୍ରୋଲ ପମ୍ପ୍ରେ ତେଲ ନାହିଁ ସେଠି ତୁରନ୍ତ ତେଲ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି । ସ୍ଥିତି ଉପରେ ନଜର ରଖିବାକୁ ସ୍ପେସାଲ୍ ଟାସ୍କ ଫୋର୍ସ ନିୟୋଜିତ ଅଛନ୍ତି ବୋଲି ସିଲ୍ କହିଛନ୍ତି ।