ମାଲକାନଗିରି ଜିଲ୍ଲାରେ ତୀବ୍ର ଗରମ ଓ ବିଦ୍ୟୁତ ବିଭ୍ରାଟ ଏକ କୁକୁଡ଼ା ଫାର୍ମ ମାଲିକଙ୍କ ପାଇଁ ଭୟଙ୍କର ବିପର୍ଯ୍ୟୟ ନେଇଆସିଛି। ପ୍ରଚଣ୍ଡ ଖରା ଓ ଦୀର୍ଘ ସମୟ ଧରି ବିଦ୍ୟୁତ ନଥିବାରୁ ଫାର୍ମରେ ୫ ହଜାର ୩ଶହରୁ ଅଧିକ କୁକୁଡ଼ାର ମୃତ୍ୟୁ ଘଟିଛି। ଏହାଦ୍ୱାରା ଚାଷୀଙ୍କର ପ୍ରାୟ ୧୫ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଫାର୍ମର ଟ୍ରାନ୍ସଫର୍ମର ହଠାତ୍ ଖରାପ ହୋଇଯାଇଥିଲା। ଫଳରେ ସମଗ୍ର ଫାର୍ମରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ଗରମରୁ କୁକୁଡ଼ାମାନଙ୍କୁ ବଞ୍ଚାଇବା ପାଇଁ ଡିଜେଲ୍ ଜେନେରେଟର ଚଳାଇ କୁଲିଂ ଓ ଭେଣ୍ଟିଲେସନ୍ ବ୍ୟବସ୍ଥା କରାଯାଉଥିଲା। କିନ୍ତୁ ସମସ୍ୟା ଏଠାରେ ଶେଷ ହୋଇନଥିଲା।
ସ୍ଥାନୀୟ ପେଟ୍ରୋଲ ପମ୍ପରେ ଡିଜେଲ୍ ନମିଳିବାରୁ ଜେନେରେଟର ଚଳାଇବା ଅସମ୍ଭବ ହୋଇପଡ଼ିଥିଲା। ତୀବ୍ର ଗରମ ଓ ବାୟୁ ଚଳାଚଳ ବନ୍ଦ ହେବାରୁ ଫାର୍ମରେ ଥିବା କୁକୁଡ଼ାମାନେ ଗୋଟିଏ ପରେ ଗୋଟିଏ ମରିଯାଇଥିଲେ। ମୃତ କୁକୁଡ଼ାମାନଙ୍କର ମୋଟ ଓଜନ ପ୍ରାୟ ୧୨ ଟନ୍ ହେବ ବୋଲି କୁହାଯାଉଛି। ଘଟଣା ପରେ ଫାର୍ମ ମାଲିକ ଭାଙ୍ଗିପଡ଼ିଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ, ଜରୁରୀ ପରିସ୍ଥିତି ସତ୍ତ୍ୱେ କିଛି ପେଟ୍ରୋଲ ପମ୍ପ ଡ୍ରମ୍ରେ ଡିଜେଲ୍ ଦେବାକୁ ମନା କରିଥିଲେ। ସେ କହିଛନ୍ତି, “ଯଦି ତୁରନ୍ତ ଡିଜେଲ୍ ଓ ନିୟମିତ ବିଦ୍ୟୁତ ମିଳିବ ନାହିଁ, ତେବେ ଅବଶିଷ୍ଟ କୁକୁଡ଼ାମାନେ ମଧ୍ୟ ମରିଯିବେ।”
ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବଢ଼ିଥିବାବେଳେ ପଶୁପାଳନ ଚାଷୀମାନଙ୍କ ସୁରକ୍ଷା ଓ ବିଦ୍ୟୁତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।