ଭୁବନେଶ୍ୱର: ଓଡ଼ିଶାରେ ଅପରାଧୀଙ୍କ ବିରୋଧରେ ଏବେ କଡ଼ା ଆକ୍ସନ୍ ମୋଡ୍ରେ ପୋଲିସ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ରବିବାର ଅପରାଧୀଙ୍କୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି, ଓଡ଼ିଶାରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଆଇନଶୃଙ୍ଖଳାକୁ ଭାଙ୍ଗିବାକୁ ଚେଷ୍ଟା କଲେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ଡିଜିପି କହିଛନ୍ତି, ବ୍ରହ୍ମପୁର ଓ ସମ୍ବଲପୁରରେ ହୋଇଥିବା ସମ୍ପ୍ରତିର ପୋଲିସ ଏନକାଉଣ୍ଟରରୁ ଅପରାଧୀମାନେ ଶିକ୍ଷା ନିଅନ୍ତୁ। ରାଜ୍ୟରେ ଅପରାଧ ଦମନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି। ଗତ ୫ ଦିନ ମଧ୍ୟରେ ୧୭୦୦ରୁ ଅଧିକ ନନ୍-ବେଲେବଲ୍ ୱାରେଣ୍ଟ (NBW) କାର୍ଯ୍ୟକରୀ କରାଯାଇଛି। ଏହାସହ ୬ ଜଣ କୁଖ୍ୟାତ ଅପରାଧୀଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (NSA) ଲାଗୁ କରାଯାଇଥିବା ବେଳେ ୫୦ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ଜେଲ୍ରୁ ଫେରିଥିବା ଅପରାଧୀ ଓ ଅଭ୍ୟାସଗତ ଦୁର୍ବୃତ୍ତଙ୍କ ଚଳାଚଳ ଉପରେ ମଧ୍ୟ ଗୁଇନ୍ଦା ନଜରଦାରୀ ବଢ଼ାଯାଇଛି।
ଡିଜିପି ସ୍ପଷ୍ଟ କରିଛନ୍ତି ଯେ, ଅପରାଧୀଙ୍କ ବିରୋଧରେ ଏହି ସ୍ପେସାଲ୍ ଡ୍ରାଇଭ୍ ଆଗାମୀ ୧୦ ଦିନ ଯାଏଁ ଜାରି ରହିବ। ଡିଜିପି କହିଛନ୍ତି, ପ୍ରତ୍ୟେକ ଜିଲ୍ଲାର ଏସପି ନିଜେ ମୈଦାନକୁ ଓହ୍ଲାଇବା ସହ ଜିଲ୍ଲାରେ ଆଇନଶୃଙ୍ଖଳା ସୁଧାରିବାରେ ଲାଗିଛନ୍ତି। ଅପରାଧ ପ୍ରତି ଓଡିଶା ପୋଲିସର ଏହି “ଜିରୋ ଟଲେରାନ୍ସ” ନୀତି ଏବେ ସ୍ପଷ୍ଟ ଦେଖାଯାଉଛି।
ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରି ପୋଲିସକୁ କ୍ରାଇମ୍ ମ୍ୟାପିଂ, ଇଣ୍ଟେଲିଜେନ୍ସ ନେଟୱର୍କ ଓ ପାଟ୍ରୋଲିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଅପରାଧ ଦମନ ପାଇଁ ସରକାର ଓ ପୋଲିସ ଏବେ ପୂରା ଆକ୍ସନ୍ ମୋଡ୍ରେ ରହିଛନ୍ତି।
ଅଧିକ ପଢନ୍ତୁ: ସମ୍ବଲପୁରରେ ପୋଲିସର ଏନକାଉଣ୍ଟର; ତିନି ରାଉଣ୍ଡ ଫାୟାରିଂ ପରେ ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ଆହତ