ରବିବାର ସକାଳେ ସମ୍ବଲପୁରରେ ଦେଖିବାକୁ ମିଳିଛି ହଲିଉଡ୍ ଫିଲ୍ମ ଭଳି ଏକ ରୋମାଞ୍ଚକର ପୋଲିସ ଅପରେସନ। ପୋଲିସ ଏବଂ କୁଖ୍ୟାତ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁ। ତାଙ୍କ ଡାହାଣ ଗୋଡ଼ରେ ଗୁଳି ଲାଗିଥିବାବେଳେ ପୋଲିସ ତାଙ୍କୁ ଗିରଫ କରି ଚିକିତ୍ସା ପାଇଁ ବୁର୍ଲା ଭିମସାରକୁ ପଠାଇଛି।
ପୋଲିସ ସୂଚନା ଅନୁସାରେ, ମନୀଷ ସାହୁ କୌଣସି ବଡ଼ ଅପରାଧ ଘଟାଇବା ଉଦ୍ଦେଶ୍ୟରେ ସମ୍ବଲପୁର ଅଞ୍ଚଳରେ ଘୁରୁଥିଲା। ପୂର୍ବରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ବୁର୍ଲା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ନଜର ରଖିଥିଲା। ରବିବାର ଭୋର ପ୍ରାୟ ୫ଟା ସମୟରେ ବୁର୍ଲା ପ୍ଲାନେଟାରିୟମ୍ ଛକ ନିକଟରେ ଯାନବାହାନ ଯାଞ୍ଚ ବେଳେ ଏକ ସ୍ୱିଫ୍ଟ କାରକୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ କାରଟି ଅଟକିବା ପରିବର୍ତ୍ତେ ଦ୍ରୁତ ଗତିରେ ପଳାଇଥିଲା।
ପୋଲିସ ପିଛା କରି ଫିସାରୀ ଛକ ନିକଟରେ କାରକୁ ଅଟକାଇବା ପରେ ମନୀଷ କାରରୁ ଡେଇଁ ପଳାଇବାକୁ ଉଦ୍ୟମ କରିଥିଲା। ସେହି ସମୟରେ ସେ ପୋଲିସ ଟିମ୍ ଉପରେ ତିନି ରାଉଣ୍ଡ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଆତ୍ମରକ୍ଷା ପାଇଁ ପୋଲିସ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲା। ଫଳରେ ମନୀଷର ଗୋଡ଼ରେ ଗୁଳି ବାଜି ସେ ତଳେ ପଡ଼ିଯାଇଥିଲା।
ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି, ଖାଲି କାର୍ଟ୍ରିଜ୍, ୧୦ କାର୍ଟନ୍ କୋରେକ୍ସ, ମୋବାଇଲ୍ ଫୋନ୍ ଓ ସ୍ୱିଫ୍ଟ କାର ଜବତ କରିଛି। ମନୀଷ ବିରୋଧରେ ଡକାୟତି, ଅସ୍ତ୍ର ଆଇନ ଓ ଏନଡିପିଏସ ଆଇନ ଅଧୀନରେ ୧୪ରୁ ଅଧିକ ମାମଲା ରହିଛି। ତାଙ୍କ ୩ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଘଟଣା ପରେ ସମ୍ବଲପୁର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।