ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଖରାର ପ୍ରକୋପ। ଦିନ ବଢ଼ିବା ସହିତ ତାତି ମଧ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ରବିବାର ଅପରାହ୍ନ ସୁଦ୍ଧା ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ଆଗାମୀ କିଛି ଦିନ ଆହୁରି ଗରମ ବଢ଼ିବ ବୋଲି ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ (IMD)।IMDର ତଥ୍ୟ ଅନୁଯାୟୀ, ରବିବାର ଅପରାହ୍ନ ୨.୩୦ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି। ସେଠାରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା। ସମ୍ବଲପୁରରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ହୀରାକୁଦରେ ୩୯.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଉପକୂଳ ଅଞ୍ଚଳ ମଧ୍ୟ ତାତିରୁ ବଞ୍ଚିପାରିନି। ବାଲେଶ୍ୱରରେ ୩୭.୨ ଡିଗ୍ରୀ ଏବଂ ଭୁବନେଶ୍ୱର ଓ ଚାନ୍ଦାବାଲିରେ ୩୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।
ପାଣିପାଗ ବିଭାଗ କହିଛି, ଆଗାମୀ ୩ରୁ ୪ ଦିନ ମଧ୍ୟରେ ସାରା ରାଜ୍ୟରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ। ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଅଧିକ ଅନୁଭବ ହେବା ସମ୍ଭାବନା ରହିଛି।
ଏହି ତାତି ମଧ୍ୟରେ ଆଉ ଏକ ପଟେ ଝଡ଼ବର୍ଷାର ଆଶଙ୍କା ମଧ୍ୟ ରହିଛି। IMD ଅନୁଯାୟୀ, ୨୩ ମେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହ ଝଡ଼ବର୍ଷା ଓ ଦମକା ପବନ ବହିପାରେ। ଏନେଇ କିଛି ଜିଲ୍ଲା ପାଇଁ ଅରେଞ୍ଜ ଓ ହଳଦିଆ ସତର୍କତା ଜାରି କରାଯାଇଛି।
ତେଣୁ ଦିନବେଳେ ଅତ୍ୟାବଶ୍ୟକ କାମ ନଥିଲେ ବାହାରକୁ ନଯିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।