ଭୁବନେଶ୍ୱର: ସୁସ୍ଥ ଜୀବନ ଓ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ରବିବାର ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ‘ସାଇକେଲ୍ ଅନ୍ ସଣ୍ଡେସ୍’ କାର୍ଯ୍ୟକ୍ରମ। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏହି ସାଇକେଲ୍ ରାଲିରେ ଶତାଧିକ ଯୁବକ-ଯୁବତୀ, ଖେଳାଳି ଓ ସାଧାରଣ ଲୋକଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳିଛି। ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ରୁ ଆରମ୍ଭ ହୋଇଥିବା ଏହି ରାଲି ବୈଭବ ୱେଲନେସ୍ ସେଣ୍ଟର ଛକ, ଉତ୍କଳ ହସ୍ପିଟାଲ ଓ ପଣ୍ଡିତ ରଘୁନାଥ ମୁର୍ମୁ ପାର୍କ ଦେଇ ପୁଣି ବୈଭବ ୱେଲନେସ୍ ସେଣ୍ଟର ଛକରେ ଶେଷ ହୋଇଥିଲା।
ଏହି ରାଲିରେ CRPF, CISF, NCC, NSS, ଓଡ଼ିଶା ସାଇକ୍ଲିଂ ଏବଂ ପାରା ଆସୋସିଏସନ୍, ବିଭିନ୍ନ ସାଇକ୍ଲିଂ କ୍ଲବ୍, ସ୍ପୋର୍ଟସ୍ ହଷ୍ଟେଲ୍ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକମାନେ ଯୋଗଦେଇଥିଲେ। ସମସ୍ତେ ଏକାଠି ସାଇକେଲ୍ ଚଳାଇ ଫିଟନେସ୍ ର ମଜା ନେବା ସହ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।
ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ସାଇକ୍ଲିଷ୍ଟ ମିନତୀ ମହାପାତ୍ର, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ଓ କ୍ରୀଡ଼ା ନିର୍ଦ୍ଦେଶକ ଡାକ୍ତର ୟେଦୁଲା ବିଜୟ ରାଲିକୁ ଫ୍ଲାଗ୍ ଅଫ୍ କରିଥିଲେ।
କ୍ରୀଡ଼ା ବିଭାଗ ଅନୁସାରେ, ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କୁ ସାରୀରିକ ଭାବେ ସୁସ୍ଥ ରଖିବା ସହ ପ୍ରଦୂଷଣମୁକ୍ତ ଓ ପରିବେଶବନ୍ଧୁ ଯାତାୟାତକୁ ପ୍ରୋତ୍ସାହନ ଦେବା। “ପେଡାଲ୍ ମାରନ୍ତୁ, ସୁସ୍ଥ ଜୀବନ ବଞ୍ଚନ୍ତୁ” ବାର୍ତ୍ତା ସହ ଏହି ରାଲି ସହରବାସୀଙ୍କୁ ଏକ ସକାରାତ୍ମକ ସନ୍ଦେଶ ଦେଇଛି।
ଏହି ଅବସରରେ କ୍ରୀଡା ମନ୍ତ୍ରୀ ସୂରଜ କହିଥିଲେ ଯେ, "କେନ୍ଦ୍ର ସରକାରଙ୍କ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ଅଧୀନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଦେଶବ୍ୟାପୀ ଲୋକପ୍ରିୟ ହୋଇଛି। ଓଡ଼ିଶାରେ ପୂର୍ବରୁ ହେରିଟେଜ୍ ମାରାଥନ୍, ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍ ଓ ମହିଳା ମାରାଥନ୍ ଭଳି କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜିତ ହୋଇଥିବା ବେଳେ, ଏବେ ‘ସାଇକେଲ୍ ଅନ୍ ସଣ୍ଡେସ୍’ ରାଜଧାନୀରେ ନୂଆ ଉତ୍ସାହ ସୃଷ୍ଟି କରିଛି। ଫିଟ୍ ଇଣ୍ଡିଆ, ଫିଟ୍ ଓଡ଼ିଶା ଓ ସୁସ୍ଥ ସମାଜ ଗଢ଼ିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନନ୍ଦିନ ଜୀବନରେ ଫିଟନେସ୍କୁ ଗୁରୁତ୍ୱ ଦେବା ଆବଶ୍ୟକ।”