ରାମପୁର: ସମାଜବାଦୀ ପାର୍ଟି (SP)ର ବରିଷ୍ଠ ନେତା ଆଜମ ଖାନଙ୍କ ଆଇନଗତ ଅସୁବିଧା କମିବାର ନାଁ ନେଉନାହିଁ। ପୁଣି ଏକ ମାମଲାରେ ଅଦାଲତଙ୍କ ତରଫରୁ ତାଙ୍କୁ ଏକ ବଡ଼ ଝଟକା ଲାଗିଛି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ଦେଇଥିବା ଏକ ବିବାଦୀୟ ବୟାନ ଯୋଗୁଁ ରାମପୁରର ଏମପି-ଏମଏଲଏ କୋର୍ଟ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ନିର୍ବାଚନ ପ୍ରଚାର ବେଳେ ଦେଇଥିଲେ ବିବାଦୀୟ ଭାଷଣ
ସୂଚନା ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନରେ ଆଜମ ଖାନ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ। ପ୍ରଚାର ସମୟରେ ସେ ଭୋଟ୍ ଥାନା ଅଞ୍ଚଳରେ ଏକ ସଭାକୁ ସମ୍ବୋଧିତ କରିବା ବେଳେ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ଏକ ଆପତ୍ତିଜନକ ବୟାନ ଦେଇଥିଲେ। ତାଙ୍କର ଏହି ଭାଷଣ ସେତେବେଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।
ସେ କହିଥିଲେ ଏମାନେ ହେଉଛନ୍ତି ଦରମା ଭୋଗୀ କର୍ମଚାରୀ, ଏମାନଙ୍କୁ ଆଦୌ ଡରନ୍ତୁ ନାହିଁ। ଆମେ ସେମାନଙ୍କ ସହ ମେଣ୍ଟ କରିଛୁ ଯିଏ ଜୋତା ସଫା କରାଇ ନିଅନ୍ତି। ଈଶ୍ୱର ଚାହିଁଲେ ନିର୍ବାଚନ ଜିତିବା ପରେ ମୁଁ ଏମାନଙ୍କ ଦ୍ୱାରା ଜୋତା ସଫା କରାଇବି।
କୋର୍ଟ ଶୁଣାଇଲେ ଦଣ୍ଡ
ଏହି ବିବାଦୀୟ ମନ୍ତବ୍ୟ ପରେ ଆଜମ ଖାନଙ୍କ ବିରୋଧରେ ବିଦ୍ୱେଷମୂଳକ ଭାଷଣ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ରାମପୁରର ସ୍ପେଶାଲ ଏମପି-ଏମଏଲଏ କୋର୍ଟର ମାଜିଷ୍ଟ୍ରେଟ୍ ଶୋଭିତ ବଂଶଲଙ୍କ ଅଦାଲତରେ ଏହି ମାମଲାର ଦୀର୍ଘ ଦିନ ଧରି ଶୁଣାଣି ଚାଲିଥିଲା। ଉଭୟ ପକ୍ଷର ଯୁକ୍ତି ଓ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ୫,୦୦୦ ଟଙ୍କା ଜରିମାନା ଶୁଣାଇଛନ୍ତି।
ବଢ଼ିଲା ଆଜମ ଖାନଙ୍କ ପରିବାରର ଚିନ୍ତା
ପ୍ରକାଶ ଥାଉ କି, ଆଜମ ଖାନ ପୂର୍ବରୁ ମଧ୍ୟ ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି ଏବଂ ବର୍ତ୍ତମାନ ସେ ଜେଲରେ ସଜା କାଟୁଛନ୍ତି। ତାଙ୍କ ବିରୋଧରେ ଏକାଧିକ ମାମଲାର ବିଚାର ଚାଲିଥିବା ବେଳେ ଏହି ନୂଆ ରାୟ ସପା ନେତା ଏବଂ ତାଙ୍କ ପରିବାରର ରାଜନୈତିକ ତଥା ଆଇନଗତ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଦେଇଛି।