ନୂଆଦିଲ୍ଲୀ: କେରଳ ମୁଖ୍ୟମନ୍ତ୍ରୀ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଗୁରୁବାର ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି । ଭିଡି ସଥିଶମ୍ ହେବେ କେରଳ ମୁଖ୍ୟମନ୍ତ୍ରୀ । କଂଗ୍ରେସର କେରଳର ଦାୟିତ୍ୱରେ ଥିବା ଦୀପା ଦଶମୁନସୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମୁକୁଲ ୱାସନିକ ଏକ ସାମ୍ବାଦିକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ।
କେରଳ ପ୍ରଦେଶ କଂଗ୍ରେସ କମିଟି ସଭାପତି ସନି ଯୋଶେଫ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏହା ଏକ ବହୁତ ଭଲ ନିଷ୍ପତ୍ତି ବୋଲି ପିସିସି ସଭାପତି କହିଛନ୍ତି ।
ଗତକାଲି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ୍ ଧରି ରୁଦ୍ଧ ଦ୍ୱାର ଆଲୋଚନା ହୋଇଥିଲା । କେରଳ ମୁଖ୍ୟମନ୍ତ୍ରୀ ରେସରେ ତିନି ଜଣଙ୍କ ନାମ ଭିଡି ଶଥୀସନ, କେସି ବେଣୁଗୋପାଳ ଏବଂ ରମେଶ ଚେନ୍ନିଥାଲା ରହିଥିଲା । ଶେଷେ ଶଥୀସନଙ୍କ ନାମରେ ମୋହନ ବାଜିଛି ।
୪ ମେରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୧୪୦ଟି ଆସନରୁ ୧୦୨ଟି ଆସନରେ ବିଜୟୀ ହୋଇଥିଲା । କିନ୍ତୁ ୧୦ ଦିନ ମୁଖ୍ୟମନ୍ତ୍ରୀ ଚୟନ ହୋଇପାରୁନଥିଲା । ତେବେ ଏହି ଦ୍ୱନ୍ଦ୍ୱରେ ଏବେ ବିରାମ ଲାଗିଛି ।