ଚେନ୍ନାଇ: ବିଧାନସଭା ନିର୍ବାଚନରେ ସବୁଠୁ ବଡ ଦଳ ଭାବେ ଉଭା ହୋଇ ସରକାର ଗଢିଥିବା ଯୋଶେଫ ବିଜୟ ବୁଧବାର ବିଧାନସଭାରେ ପାସ୍ ହୋଇଛନ୍ତି । ବିଧାନସଭାରେ ଆଜି ଅନୁଷ୍ଠିତ ଆସ୍ଥା ଭୋଟରେ ବହୁମତ ସାବ୍ୟସ୍ତ କରିଛି ଟିଭିକେ ମେଣ୍ଟ ସରକାର । ବିଜୟଙ୍କ ସରକାରକୁ ୧୪୪ ବିଧାୟକଙ୍କ ସମର୍ଥନ ମିଳିଛି । ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜୟଙ୍କ ସରକାରକୁ ବହୁମତ ସାବ୍ୟସ୍ତ ପାଇଁ ୧୧୮ ସମର୍ଥନ ଦରକାର ଥିଲା । ଆସ୍ଥା ଭୋଟ୍ ସମୟରେ ଗୃହରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିବା ବେଳେ ଡିଏମକେ ଭୋଟିଂରୁ ବିରତ ରହି କକ୍ଷତ୍ୟାଗ କରିଛି ।
ଆସ୍ଥା ଭୋଟରେ ବିଜୟୀ ସରକାରକୁ କଂଗ୍ରେସ, ସିପିଆଇ, ସିପିଆଇ ଏମ, ଭିସିକେ ଓ ଆଇୟୁଏମଏଲ ସରକାରଙ୍କୁ ସମର୍ଥନ ଦେଇଛନ୍ତି । ଅନ୍ୟପଟେ ବିଜେପି ଓ ପିଏମକେ ଭୋଟିଂରୁ ଦୂରେଇ ରହିଥିଲେ । ହେଲେ ଅସଲ ଖେଳ ତେବେ ଘଟିଲା ଯେତେବେଳେ ଏଆଇଏଡିଏମକେର ବିଦ୍ରୋହୀ ଗୋଷ୍ଠୀ ବିଜୟଙ୍କ ସମର୍ଥନରେ ଭୋଟିଂ ଦେବାକୁ ଘୋଷଣା କରିଥିଲେ । ରିପୋର୍ଟ ଅନୁଯାୟୀ, ଏଆଇଏଡିଏମକେରେ ଏସପି ବେଲୁମଣିଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀକୁ ପାର୍ଟିର ୪୭ରୁ ପ୍ରାୟ ୩୦ ବିଧାୟକଙ୍କ ସମର୍ଥନ ରହିଛି । ଏଥିରୁ ଅତି କମରେ ୨୬ ବିଧାୟକ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି ।
ଉତ୍ତୀର୍ଣ୍ଣ କଲେ ବିଜୟ
ଉଲ୍ଲେଖନୀୟ କଂଗ୍ରେସ ଓ ବାମ ଦଳର ସମର୍ଥନ ପରେ ବିଜୟଙ୍କ ପାଖରେ ପୂର୍ବରୁ ହିଁ ୧୨୦ ବିଧାୟକଙ୍କ ସମର୍ଥନ ଥିଲା । ହେଲେ ମାଦ୍ରାସ ହାଇକୋର୍ଟ ମଙ୍ଗଳବାର ଟିଭିକେର ଜଣେ ବିଧାୟକଙ୍କୁ ବିଧାନସଭା ଯିବା ଉପରେ ରୋକ୍ ଲଗାଇତିଲେ । ଏହା ପରେ ବିଜୟଙ୍କ ସରକାର ପାଇଁ ବହୁମତ ସାବ୍ୟସ୍ତ କରିବା ନେଇ ସଂଶୟ ଦେଖା ଦେଇଥିଲା । ହେଲେ ବିଜୟ ଏବେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।