ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ବିବାଦ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କେନ୍ଦ୍ର ସରକାର ଜାତୀୟ ପରୀକ୍ଷା ସଂସ୍ଥା ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ରେ ଏକ ବଡ଼ ପ୍ରଶାସନିକ ସଂସ୍କାର କରିଛନ୍ତି। ଏଜେନ୍ସିର ପରିଚାଳନା ଗତ ବ୍ୟବସ୍ଥାକୁ ସୁଧାରିବା ପାଇଁ କ୍ୟାବିନେଟ୍ ନିଯୁକ୍ତି କମିଟି (ACC) ପକ୍ଷରୁ ଦୁଇ ଜଣ ଯୁଗ୍ମ ସଚିବ ଏବଂ ଦୁଇ ଜଣ ଯୁଗ୍ମ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଅନୁଜା ବାପଟ ଓ ରୁଚିତା ବିଜ୍ଙ୍କୁ ଯୁଗ୍ମ ସଚିବ ଏବଂ ଆକାଶ ଜୈନ ଓ ଆଦିତ୍ୟ ରାଜେନ୍ଦ୍ର ଭୋଜଗଡ଼ିଆଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ଵ ଦିଆଯାଇଛି।
NTAକୁ ମଜବୁତ କରିବାକୁ ପ୍ରୟାସ
ପରୀକ୍ଷା ପରିଚାଳନାରେ ଦେଖାଦେଇଥିବା ବିଭ୍ରାଟ ଓ ଏଜେନ୍ସି ଉପରକୁ ଆସିଥିବା ସଂକଟ ମଧ୍ୟରେ ଏହି ନୂଆ ନିଯୁକ୍ତିକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ୧୯୯୮ ବ୍ୟାଚ୍ର ଭାରତୀୟ ସାଂଖ୍ୟିକ ସେବା (ISS) ଅଧିକାରୀ ଅନୁଜା ବାପଟ ଏବଂ ୨୦୦୪ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ ରୁଚିତା ବିଜ୍ ଆସନ୍ତା ୫ ବର୍ଷ ପାଇଁ NTAର ଯୁଗ୍ମ ସଚିବ ପଦ ସମ୍ଭାଳିବେ। ଏଥିପାଇଁ ପୂର୍ବରୁ ଖାଲି ପଡ଼ିଥିବା ଡେପୁଟି ସେକ୍ରେଟାରୀ ସ୍ତରର ପଦବୀକୁ ଅସ୍ଥାୟୀ ଭାବେ ଅପଗ୍ରେଡ୍ କରାଯାଇଛି। ଅନ୍ୟପଟେ, IRS (ଇନକମ ଟ୍ୟାକ୍ସ) ଅଧିକାରୀ ଆକାଶ ଜୈନ ଏବଂ ଭାରତୀୟ ଅଡିଟ୍ ଆଣ୍ଡ ଆକାଉଣ୍ଟସ୍ ସେବା ଅଧିକାରୀ ଆଦିତ୍ୟ ରାଜେନ୍ଦ୍ର ଭୋଜଗଡ଼ିଆଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
'ଜିରୋ-ଏରର' କାମ କରିବ NTA
ଏହି ପ୍ରଶାସନିକ ଅଦଳବଦଳ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ NTAରେ ବ୍ୟାପକ ସଂସ୍କାର ଆଣିବା ନେଇ ସୂଚନା ଦେଇଥିଲେ। ସେ କହିଥିଲେ, "ପରୀକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଆମକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମିଳିଛି। ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା। NTA ଯେପରି ବିନା କୌଣସି ତ୍ରୁଟିରେ (Zero-Error) ସ୍ୱଚ୍ଛତାର ସହ କାମ କରିବ, ତାହା ନିଶ୍ଚିତ କରିବା ଆମର ଦାୟିତ୍ୱ।"
ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନିଆ ସିବିଆଇ ହେପାଜତ
ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’ ୩ ତାରିଖରେ ପ୍ରାୟ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ NEET-UG ପରୀକ୍ଷା ଦେଇଥିଲେ। ମାତ୍ର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିବା ପରେ ଏହି ପରୀକ୍ଷାକୁ ବାତିଲ କରାଯାଇ ମାମଲାର ତଦନ୍ତ ଭାର ସିବିଆଇ (CBI)କୁ ହସ୍ତାନ୍ତର କରାଯାଇଛି। ଏହି ପେପର ଲିକ୍ ମାମଲାର ମୁଖ୍ୟ ମାଷ୍ଟରମାଇଣ୍ଡ ପି.ଭି. କୁଲକର୍ଣ୍ଣି ଏବଂ ଅନ୍ୟତମ ଅଭିଯୁକ୍ତ ମନୀଷା ୱାଘମାରେଙ୍କୁ ଦିଲ୍ଲୀର ଏକ ଅଦାଲତ ୧୦ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି।