ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦୁର୍ନୀତି ଅଭିଯୋଗରେ ଜଣେ ଆଇଏଏସ ଅଧିକାରୀ ପଦ୍ମା ଜୟସ୍ୱାଲଙ୍କ ବିରୋଧରେ ବହୁତ ବିରଳ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୨୦୦୩ ବ୍ୟାଚର ଏଜିଏମୟୁଟି କ୍ୟାଡରର ବରିଷ୍ଠ ଆଇଏଏସ ଅଧିକାରୀ ପଦ୍ମା ଜୟସ୍ୱାଲଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।
ସରକାରୀ ସୂଚନା ଅନୁଯାୟୀ, କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ସୁପାରିସ କ୍ରମେ ଭାରତର ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଆଇଏଏସ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି । ଉଲ୍ଲେଖନୀୟ ଡିଓପିଟି ସିଧାସଳଖ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟଙ୍କ ଅଧିନରେ ରହିଛି । ଏହା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସ ଆଧାରରେ ନିର୍ଣ୍ଣୟ ନେଇଥାଏ । ଅନ୍ୟପଟେ ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ମୁତାବକ ପଦ୍ମା ଜୟସ୍ୱାଲ ଏମିତି ଘଟଣାକ୍ରମ କିମ୍ବା ବରଖାସ୍ତ ଆଦେଶକୁ ନେଇ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି ।
ପୂରା ମାମଲା କଣ ?
ଏହି ଦୃଢ କାର୍ଯ୍ୟାନୁଷ୍ଠାନ ପ୍ରାୟ ୧୮ ବର୍ଷ ପୁରୁଣା ଏକ ମାମଲାକୁ ନେଇ ଗ୍ରହଣ କରାଯାଇଛି । ୨୦୦୭-୨୦୦୮ରେ ପଦ୍ମା ଜୟସ୍ୱାଲ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗରେ ଡେପୁଟୀ କମିସନର ପଦରେ କାର୍ଯ୍ୟରତ ଥିଲେ । ୨୦୦୮ ଫେବୃଆରୀରେ ତାଙ୍କ ଉପରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ରୁଜୁ ଏକ ଅଭିଯୋଗ ଉପରେ ନିଜ ପଦର ଦୁରୁପଯୋଗ କରିବା ଏବଂ ସରକାରୀ ରାଜକୋଷ ଲୁଟିବାର ଗମ୍ଭୀର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ତାଙ୍କୁ ୨୦୦୮ ଏପ୍ରିଲରେ ଚାକିରିରୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ପରେ ୨୦୧୦ ଅକ୍ଟୋବରରେ ସେ ଚାକିରିରେ ପୁଣି ଥରେ ଯୋଗ ଦେଇଥିଲେ ।
ପଦ୍ମା ଜୟସ୍ୱାଲ ନିଜର ଦୁଇ ଦଶନ୍ଧିରୁ ଅଧିକ ଲମ୍ବା ପ୍ରଶାସନିକ କ୍ୟାରିୟରରେ ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, ଗୋଆ ଓ ପୁଡୁଚେରୀରେ ଅନେକ ମହତ୍ୱପୂର୍ଣ୍ଣ ପଦରେ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ସେଣ୍ଟ ଜାଭିୟର୍ସ ସ୍କୁଲରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ ୟୁଜିସି ରିସର୍ଚ୍ଚ ଫେଲୋ ଭାବେ କାମ କରିଛନ୍ତି ।