କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ କ୍ଷମତା ହରାଇ ଥିବା ମମତା ବାନାର୍ଜୀ ଏବେ ଆତ୍ମଚିନ୍ତନ କରୁଛନ୍ତି। ବର୍ଷ ବର୍ଷ ଧରି ସବୁଠାରୁ ବଡ଼ ନିର୍ବାଚନୀ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ଶ୍ରୀମତୀ ବାନାର୍ଜୀ ଏବେ ସଂଗଠନକୁ ପୁନର୍ବାର ନିର୍ମାଣ କରିବାରେ ନିୟୋଜିତ ଅଛନ୍ତି। କୋଲକାତାରେ ତାଙ୍କ କାଲିଘାଟ ବାସଭବନରେ ମମତା ବାନାର୍ଜୀ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ।
ଦଳର ଜାତୀୟ ମହାସଚିବ ଅଭିଷେକ ବାନାର୍ଜୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ପରାଜୟ ପରେ ଦଳ ଭିତରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଅଶାନ୍ତି ଏବଂ ନେତାମାନେ ଦଳ ପରିବର୍ତ୍ତନ କରିବା ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ ମମତା ବାନାର୍ଜୀ ସ୍ପଷ୍ଟ ଭାବରେ କହିଥିଲେ ଯେ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନେ ଏହା କରିବାକୁ ମୁକ୍ତ।
ଦଳ ସୂତ୍ର ଅନୁସାରେ ନେତାମାନେ ଦଳ ପରିବର୍ତ୍ତନ କରିବା ରିପୋର୍ଟ ସମ୍ପର୍କରେ ବୈଠକରେ ମମତା ବାନାର୍ଜୀ ସ୍ପଷ୍ଟ ଭାବରେ କହିଥିଲେ। ସେ କହିଥିଲେ, ଯେଉଁମାନେ ଅନ୍ୟ ଦଳରେ ଯୋଗ ଦେଉଛନ୍ତି, ସେମାନଙ୍କୁ ଯିବାକୁ ଦିଅ। ମୁଁ ଦଳକୁ ପୁନର୍ବାର ନିର୍ମାଣ କରିବି। ଯେଉଁମାନେ ମୋ ସହିତ ରହିଛନ୍ତି ସେମାନଙ୍କୁ କ୍ଷତିଗ୍ରସ୍ତ ଦଳୀୟ କାର୍ଯ୍ୟାଳୟଗୁଡ଼ିକୁ ମରାମତି କରିବା ରଙ୍ଗ କରିବା ଏବଂ ପୁଣି ଥରେ ଖୋଲିବା ପାଇଁ ମୁଁ ଅନୁରୋଧ କରୁଛି। ଆବଶ୍ୟକ ହେଲେ ମୁଁ ନିଜେ ସେହି କାର୍ଯ୍ୟାଳୟଗୁଡ଼ିକୁ ରଙ୍ଗ କରିବି। ତୃଣମୂଳ କଂଗ୍ରେସ କେବେ ମୁଣ୍ଡ ନୁଆଁଇବ ନାହିଁ।
ସେ କହିଥିଲେ, ମୁଁ ଜାଣେ ଯେ ଅନେକ ଲୋକ ଅନ୍ୟ ଦଳରେ ଯୋଗଦେବେ। ସେମାନଙ୍କର କିଛି ବାଧ୍ୟବାଧକତା ଥାଇପାରେ। ଏ ବିଷୟରେ ମୋର କିଛି କହିବାର ନାହିଁ। ଯିଏ ଯିବାକୁ ଚାହୁଁଛି ସେ ଯାଇପାରିବ। ମୁଁ କାହାକୁ ବଳପୂର୍ବକ ଅଟକାଇବାରେ ବିଶ୍ୱାସ କରେ ନାହିଁ।
ଅଧିକ ପଢ଼ନ୍ତୁ: ଟି-୨୦ ଆନ୍ତର୍ଜାତୀୟରେ ଇତିହାସ ରଚିଲେ ପାକିସ୍ତାନୀ ବ୍ୟାଟର ଫାତିମା ସାନା