କରାଚୀ: ଆଇପିଏଲ୍ ୨୦୨୬ ନେଇ କ୍ରିକେଟ୍ ଜଗତ ବର୍ତ୍ତମାନ ବ୍ୟସ୍ତ ଥିବା ବେଳେ ପାକିସ୍ତାନୀ ଖେଳାଳି ଫାତିମା ସାନା ମହିଳା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୫୦ ରନ୍ ସଂଗ୍ରହ ସହ ରେକର୍ଡ ସ୍ଥାପନ କରିଛନ୍ତି। ଏହା ସହିତ ପାକିସ୍ତାନୀ ବ୍ୟାଟର ଜଣେ ଭାରତୀୟ ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି। ପାକିସ୍ତାନୀ ଅଧିନାୟିକା ଫାତିମା କରାଚୀରେ ଜିମ୍ବାୱେ ବିପକ୍ଷରେ ତୃତୀୟ ଟି-୨୦ରେ ୧୫ ବଲ୍ରେ ଅର୍ଦ୍ଧଶତକ ହାସଲ କରି ଏହି ଫର୍ମାଟରେ ଦ୍ରୁତତମ ପଚାଶ ହାସଲକାରୀ ବ୍ୟାଟସମ୍ୟାନ୍ ହୋଇଛନ୍ତି।
ପୂର୍ବରୁ ମହିଳା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୫୦ ରନ୍ ରେକର୍ଡ ମିଳିତ ଭାବରେ ନ୍ୟୁଜିଲ୍ୟାଣ୍ଡର ସୋଫି ଡେଭାଇନ୍, ଅଷ୍ଟ୍ରେଲିଆର ଫୋବି ଲିଚ୍ଫିଲ୍ଡ ଏବଂ ଭାରତର ରିଚା ଘୋଷଙ୍କ ନାମରେ ଥିଲା। ଏହି ତିନି ଖେଳାଳି ୧୮ ବଲ୍ରେ ସେମାନଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ।
ମହିଳା ଟି-୨୦ ଆନ୍ତର୍ଜାତୀୟରେ ୫ଟି ଦ୍ରୁତତମ ଅର୍ଦ୍ଧଶତକ
- ଫାତିମା ସାନା (ପାକିସ୍ତାନ): ୧୫ ବଲ୍
- ସୋଫି ଡିଭାଇନ୍ (ନ୍ୟୁଜିଲାଣ୍ଡ): ୧୮ ବଲ୍
- ଫୋବି ଲିଚ୍ଫିଲ୍ଡ (ଅଷ୍ଟ୍ରେଲିଆ): ୧୮ ବଲ୍
- ରିଚା ଘୋଷ (ଭାରତ): ୧୮ ବଲ୍
- ନିଦା ଦାର (ପାକିସ୍ତାନ): ୨୦ ବଲ୍
ମ୍ୟାଚ୍ରେ ପାକିସ୍ତାନ ଅଧିନାୟିକା ଫାତିମା ମାତ୍ର ୧୯ ବଲ୍ରେ ୬୨ ରନ୍ କରିଥିଲେ। ଏଥିରେ ୧୦ଟି ଚୌକା ଏବଂ ୨ଛକା ସାମିଲ ଥିଲା। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୩୨୬.୩୨ ଥିଲା।
ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୩ ରନ କରିଥିଲା। ଅଧିନାୟିକା ଫାତିମା ଦଳ ପାଇଁ ସର୍ବାଧିକ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ସାଇରା ଜାବୀନ୍ ୩୨ ବଲ୍ରେ ୮ ଚୌକା ମାରି ଅପରାଜିତ ୫୦ ରନ୍ କରିଥିଲେ। ଫାତିମା ଏବଂ ସାଇରା ମଧ୍ୟ ୨୨ ବଲ୍ରେ ଚତୁର୍ଥ ୱିକେଟ୍ ପାଇଁ ୭୧ ରନର ଭାଗୀଦାରି କରିଥିଲେ। ଆୟେଶା ଜାଫର ୨୮ ବଲ୍ରେ ୯ ଚୌକା ସହାୟତାରେ ୪୫ ରନ୍ କରିଥିଲେ।
ଲକ୍ଷ୍ୟ ପିଛା କରି ଜିମ୍ବାୱେ ୧୭.୧ ଓଭରରେ ୯୦ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଓପନର କେଲିସ୍ ନ୍ଧଲୋଭୁ ସର୍ବାଧିକ ୩୨ ରନ୍ କରିଥିଲେ। ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ ରନ୍ ମଧ୍ୟ ଛୁଇଁ ପାରି ନଥିଲେ। ପଡ଼ିଆରେ ଥିବା ୧୧ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୮ ଜଣ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଏହି ସମୟରେ, ପାକିସ୍ତାନ ପକ୍ଷରୁ ସାଦିଆ ଇକବାଲ୍ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ଏହିପରି, ପାକିସ୍ତାନ ୧୩୩ ରନ୍ ରେ ଏକ ବ୍ୟାପକ ବିଜୟ ହାସଲ କରିଥିଲା।
ଅଧିକ ପଢ଼ନ୍ତୁ: ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ