ମୟୁରଭଞ୍ଜ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ତଥା ବାରିପଦା ସହର ପାଇଁ ଗୌରବ ଆଣି ଦେଇଛନ୍ତି ପ୍ରିୟା ପାଲବାବୁ। ବାରିପଦା ମୁନିସିବନ୍ଧ ଅଞ୍ଚଳର ଅଜିତ୍ କୁମାର ପାଲବାବୁଙ୍କ ଝିଅ ପ୍ରିୟା ପାଲବାବୁ ସର୍ବଭାରତୀୟ ସ୍ତରରେ ସିବିଏସଇ ବାଣିଜ୍ୟ ବିଭାଗରେ ସର୍ବମୋଟ ୯୯.୪% ନମ୍ବର ରଖି ଟପ୍ପର ହୋଇଛନ୍ତି।
ପ୍ରିୟା ଝାଡ଼ଖଣ୍ଡର ବୋକାରୋ ଷ୍ଟିଲ୍ ସିଟି ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ (DPS) ରୁ ନିଜର ଦ୍ୱାଦଶ ଶ୍ରେଣୀ ଶିକ୍ଷା ସମାପ୍ତ କରିଛନ୍ତି। ସେ ସେଠାରେ ନିଜ ମାଉସୀଙ୍କ ଘରେ ରହି ପାଠ ପଢୁଥିଲେ। ଆକାଉଣ୍ଟାନ୍ସି ୧୦୦ ରୁ ଶହେ ୧୦୦, ବିଜିନେସ୍ ଷ୍ଟଡିଜ୍ ୧୦୦ ରୁ ୧୦୦, ଫାଇନ୍ ଆର୍ଟସ୍ / ପେଣ୍ଟିଂ ୧୦୦ ରୁ ୧୦୦, ଇକୋନୋମିକ୍ସରେ ୧୦୦ ରୁ ୯୯ ଇଂରାଜୀ ୧୦୦ ରୁ ୯୮ ରଖିଛନ୍ତି। ପ୍ରିୟା ନିଜର ଏହି ସଫଳତାର ଶ୍ରେୟ ନିଜ ପିତା ଅଜିତ୍ କୁମାର ପାଲବାବୁ ଏବଂ ମାତା ଲୀଲା ପାଲବାବୁଙ୍କୁ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ତାଙ୍କ ପିତା ଜଣେ ବ୍ୟବସାୟୀ ଏବଂ ସେ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା। ପିତାଙ୍କ କଠିନ ପରିଶ୍ରମକୁ ଦେଖି ସେ ଜୀବନରେ କିଛି ବଡ଼ କରିବା ପାଇଁ ସଂକଳ୍ପ ନେଇଥିଲେ।
ନିଜର ପ୍ରସ୍ତୁତି ଶୈଳୀ ସମ୍ପର୍କରେ ସୂଚନା ଦେଇ ପ୍ରିୟା କହିଛନ୍ତି ଯେ, ସେ ଦୈନିକ ପ୍ରାୟ ୬ ରୁ ୮ ଘଣ୍ଟା ପାଠ ପଢୁଥିଲେ। ବାଣିଜ୍ୟ ବିଭାଗର ବିଷୟଗୁଡ଼ିକ ପ୍ରାରମ୍ଭିକ ପର୍ଯ୍ୟାୟରେ ଟିକେ କଠିନ ମନେହୋଇପାରେ, କିନ୍ତୁ ନିୟମିତ ଅଭ୍ୟାସ ଦ୍ୱାରା ଏହା ଅତି ସହଜ ହୋଇଯାଏ। ପରୀକ୍ଷାର ପ୍ରାୟ ଏକ ମାସ ପୂର୍ବରୁ ମୋର ଫୋନରୁ ସମସ୍ତ ସୋସିଆଲ ମିଡିଆ ଆପ୍ଲିକେସନ୍ ଅନଇନଷ୍ଟଲ୍ କରିଦେଇଥିଲି। ସୋସିଆଲ ମିଡିଆ ଠାରୁ ଦୂରରେ ରହିବା ଫଳରେ ମୋର ଏକାଗ୍ରତା ବୃଦ୍ଧି ପାଇଥିଲା ଏବଂ ମୁଁ କମ୍ ସମୟ ମଧ୍ୟରେ ଅଧିକ ବିଷୟ ପଢ଼ିପାରିଥିଲି।
ପ୍ରିୟା ପିଲାଦିନରୁ ହିଁ ପାଠପଢ଼ାରେ ଅତ୍ୟନ୍ତ ମେଧାବୀ ଥିଲେ। ସେ ନିଜର ଦଶମ ଶ୍ରେଣୀ ଶିକ୍ଷା ବାରିପଦା ସ୍ଥିତ ସେଣ୍ଟ ମେରୀଜ୍ କନଭେଣ୍ଟ ସ୍କୁଲରୁ ଶେଷ କରିଥିଲେ। ସ୍କୁଲର ଶିକ୍ଷକ ଏବଂ ହୋଲିଷ୍ଟିକ ପରିବେଶ ତାଙ୍କର ସର୍ବାଙ୍ଗୀନ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ ପ୍ରକାଶ କରିଛନ୍ତି। ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ବାରିପଦା ସହର ତଥା ବିଭିନ୍ନ ମହଲରୁ ପ୍ରିୟାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।