କେନ୍ଦୁଝର: ଘର ଘର ବୁଲି ଆରମ୍ଭ ହୋଇଛି ଭୋଟର୍ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ । କେନ୍ଦୁଝର ଜିଲ୍ଲାର ୬ଟି ବିଧାନସଭା କ୍ଷେତ୍ରରେ ଆଜିଠାରୁ ଭୋଟର୍ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି । ଆଜିଠାରୁ ଜୁନ୍ ୨୮ ତାରିଖ ଯାଏ ବୁଥ୍ ସ୍ତରୀୟ ଅଧିକାରୀମାନେ ଘର ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି । ଏହି BLO ମାନେ ସମସ୍ତ ଭୋଟର୍ ଙ୍କୁ ଗଣନା ଫର୍ମ ବଣ୍ଟନ କରିବା ସହ, ଏହା କିପରି ପୂରଣ ହେବ, ସେନେଇ ସୂଚନା ଦେଉଛନ୍ତି । କେନ୍ଦୁଝରଗଡ଼ ପୌରପାଳିକାର ୨୧ଟି ୱାର୍ଡରେ ୫୨ ଜଣ BLO ଘର ଘର ବୁଲି SIR କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା ଦ୍ଵାରା ସମସ୍ତ ଯୋଗ୍ୟ ଭୋଟର୍ ଙ୍କ ନାମ ଭୋଟର୍ ତାଲିକାରେ ଅନ୍ତର୍ଭୁକ୍ତ ହେବା ସହ, ଅଯୋଗ୍ୟ ଭୋଟର୍ ଙ୍କ ନାଁ ତାଲିକାରୁ ବାଦ୍ ପଡ଼ିବ ।
ଜିଲ୍ଲାର ୬ଟି ବିଧାନସଭା ମଣ୍ଡଳୀର ସମୁଦାୟ ଭୋଟର୍ ସଂଖ୍ୟା ୧୩ଲକ୍ଷ ୭୨ହଜାର ୬୫୧ । ଜିଲ୍ଲାରେ ବର୍ତ୍ତମାନ ୧ହଜାର ୭୨୩ଟି ପୋଲିଂ ଷ୍ଟେସନ୍ ରହିଥିବା ବେଳେ, ନୂତନ ଭାବେ ୧୯୨ଟି ପୋଲିଂ ଷ୍ଟେସନ୍ ସୃଷ୍ଟି କରାଯାଇଛି । ଫଳରେ, ପୋଲିଂ ଷ୍ଟେସନ୍ ସଂଖ୍ୟା ସମୁଦାୟ ୧ହଜାର ୯୧୫ କୁ ବୃଦ୍ଧି ପାଇବ । ଏହି ସର୍ଭେ ପରେ, ଜୁଲାଇ ୫ ତାରିଖରେ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇବ । ଏହାପରେ, ଆବଶ୍ୟକସ୍ଥଳେ, ଭୋଟର୍ ମାନେ ଜୁଲାଇ ୫ ତାରିଖରୁ ଅଗଷ୍ଟ ୪ ତାରିଖ ଯାଏ ନିଜର ଦାବି ଏବଂ ଆପତ୍ତି ଦାଖଲ କରିପାରିବେ । ଜିଲ୍ଲାରେ ଆଜିଠାରୁ ତେଲକୋଲ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର ଏବଂ ଚମ୍ପୁଆରେ SIR ଆରମ୍ଭ ହୋଇଛି ।