ନବରଙ୍ଗପୁର: ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ । ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଅନିୟମିତତା ଅଭିଯୋଗ ହୋଇଛି । ଫାଇନାଲ୍ ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି, ଯାହାକୁ ନେଇ Viva/Interview ପାଇଁ ଡ଼ିସକ୍ୱାଲିଫାଇ ହୋଇଥିବା ପ୍ରାୟ ୫୦ଜଣ ପ୍ରାର୍ଥୀ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଦାବିପତ୍ର ଦେବାଛନ୍ତି । ତାହାସହ ଏହାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି । ସେମାନେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ରଖାଯାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ସମୁଦାୟ ୪୬୭୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୫୧ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷାରେ ଯୋଗ୍ୟ ହୋଇଥିଲେ । କିନ୍ତୁ ଭାଇଭା ପାଇଁ ମାତ୍ର ୨୮୧ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଥିବା କୁହାଯାଇଛି । ପ୍ରାର୍ଥୀମାନଙ୍କ ଦାବି, ଫାଇନାଲ୍ ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ ହିଁ ସେମାନଙ୍କୁ ଡ଼ିସକ୍ୱାଲିଫାଇ କରାଯାଇଛି । ଏପରିକି କେତେକ ପ୍ରାର୍ଥୀଙ୍କ ଅଭିଯୋଗ ରହିଛି ଯେ, ଇଭେଣ୍ଟ ଓ ଟ୍ରେଡ୍ ଆଧାରରେ ଅନେକଙ୍କୁ ଡ଼ିସକ୍ୱାଲିଫାଇ କରାଯାଇ ବାହାର କରାଯାଇଥିଲେ ମଧ୍ୟ ସେମାନଙ୍କ ରୋଲନମ୍ବର କିଭଳି viva / Interview ପାଇଁ ସର୍ଟଲିଷ୍ଟରେ ଆସିଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ନିରପେକ୍ଷ ଭାବେ ଯାଞ୍ଚ କରି ନ୍ୟାୟ ଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।