ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ (ED) 'ସ୍ପିରିଚୁଆଲ୍ ରିଜେନେରେସନ୍ ମୁଭମେଣ୍ଟ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ' (SRMF) ନାମକ ଏକ ଚାରିଟେବୁଲ୍ ଟ୍ରଷ୍ଟର କୋଟି କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟ୍ରଷ୍ଟର ସମ୍ପତ୍ତିକୁ ଜାଲ୍ ଦଲିଲ୍ ମାଧ୍ୟମରେ ବିକ୍ରି କରିବା ଅଭିଯୋଗରେ ଦୁଇଜଣ ମୁଖ୍ୟ ଅଭିଯୁକ୍ତ ଜି. ରାମ ଚନ୍ଦ୍ର ମୋହନ ଏବଂ ଆକାଶ ମାଲବୀୟଙ୍କୁ ଗିରଫ କରାଯାଇଛି।
ଏହି ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ED ହେପାଜତକୁ ପଠାଇ ଦିଆଯାଇଛି। ତଦନ୍ତ ସମୟରେ ED ପକ୍ଷରୁ ୧୪ ଏବଂ ୧୫ ମେ ୨୦୨୬ରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ 'Singhvahini Infra Projects Pvt. Ltd.' ଏବଂ ଏହାର ନିର୍ଦ୍ଦେଶକମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସମେତ ଅନ୍ୟାନ୍ୟ ସମ୍ପତ୍ତିକୁ ଫ୍ରିଜ୍ (Freeze) କରିଦିଆଯାଇଛି। ED ର ସୂଚନା ଅନୁଯାୟୀ, ଏହି ମାମଲା ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ରୁଜୁ ହୋଇଥିବା ଅନେକ FIR ସହିତ ଜଡ଼ିତ।
କ’ଣ ରହିଛି ଅଭିଯୋଗ?
ଅଭିଯୋଗ ହୋଇଛି ଯେ, ଏକ ସଂଗଠିତ ଗୋଷ୍ଠୀ ଜାଲ୍ ପାୱାର୍ ଅଫ୍ ଆଟର୍ଣ୍ଣି, ନକଲି ବୋର୍ଡ ରିଜୋଲ୍ୟୁସନ୍ ଏବଂ ଜାଲ୍ ଦଲିଲ୍ ପ୍ରସ୍ତୁତ କରି ଟ୍ରଷ୍ଟର ଶହ ଶହ କୋଟି ଟଙ୍କାର ମୂଲ୍ୟବାନ ଜମିକୁ ବିକ୍ରି କରିଦେଇଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ଜି. ରାମ ଚନ୍ଦ୍ର ମୋହନ ଏହି ସମସ୍ତ କଳାକାରନାମାର ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲା। ସେ ନିଜକୁ SRMF ର କୋଷାଧ୍ୟକ୍ଷ ଭାବେ ପରିଚୟ ଦେଇ ଏକ ଜାଲ୍ ସଂସ୍ଥା ଗଠନ କରିଥିଲା ଏବଂ ନକଲି ପ୍ୟାନ୍ କାର୍ଡ (PAN card) ଜରିଆରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା କାରବାର କରୁଥିଲା। ପରବର୍ତ୍ତୀ ସମୟରେ ଆୟକର ବିଭାଗ ସେହି ପ୍ୟାନ୍ କାର୍ଡକୁ ‘ଫେକ୍ ଆସେସି’ ଘୋଷଣା କରି ବନ୍ଦ କରିଦେଇଥିଲା।
ରେଡ୍ ସମୟରେ ମିଳିଲା ଦାମୀ କାର୍:
ଅନ୍ୟପଟେ ଆକାଶ ମାଲବୀୟ ନିଜକୁ SRMF ର କାର୍ଯ୍ୟକାରୀ ସଦସ୍ୟ ଭାବେ ପରିଚୟ ଦେଇ ଜାଲ୍ ସେଲ୍ ଡିଡ୍ ପ୍ରସ୍ତୁତ କରିବା ଏବଂ ଜମି ବିକ୍ରି କରିବାରେ ସାହାଯ୍ୟ କରିଥିଲା। ED ମୁତାବକ, ପ୍ରଦୀପ ସିଂହ ଏବଂ ତାଙ୍କ କମ୍ପାନୀ 'Singhvahini Infra Projects Pvt. Ltd.' ର ଭୂମିକା ମଧ୍ୟ ସନ୍ଦେହଜନକ। ତଦନ୍ତରୁ ଜଣାପଡ଼ିଛି ଯେ, ଜମିଟି ପ୍ରକୃତ SRMF ଟ୍ରଷ୍ଟର ଏବଂ ବିକ୍ରେତାଙ୍କ ପାଖରେ କୌଣସି ଆଇନଗତ ଅଧିକାର ନାହିଁ ବୋଲି ଜାଣିବା ସତ୍ତ୍ୱେ ସେମାନେ ଜମି କିଣିବା ସହ ତାହାର କିଛି ଅଂଶ ତୃତୀୟ ପକ୍ଷଙ୍କୁ ବିକ୍ରି କରିଥିଲେ। ଚଢ଼ାଉ ସମୟରେ ଅନେକ ବିଳାସପୂର୍ଣ୍ଣ କାର୍ ମଧ୍ୟ ଜବତ କରାଯାଇଛି।