ନୂଆଦିଲ୍ଲୀ: ଧାରରେ ଥିବା ଭୋଜଶାଳା ମସଜିଦ ନୁହେଁ ବରଂ ଏକ ମନ୍ଦିର ଥିଲା । ଭୋଜଶାଳା ପରିସରେ ଥିବା ବାଗଦେବୀ ସରସ୍ୱତୀ ମାତାଙ୍କ ମନ୍ଦିର ଅଟେ । ଶୁକ୍ରବାର ଐତିହାସିକ ରାୟ ଶୁଣାଇଛନ୍ତି ମଧ୍ୟ ପ୍ରଦେଶ ହାଇକୋର୍ଟ । କମାଲ ମୌଲା ମସଜିଦ ପକ୍ଷର ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ତତସହିତ ମୁସଲିମ ପକ୍ଷକୁ ଅଲଗା ଜମି ଯୋଗାଇ ଦେବା ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଛନ୍ତି ।
ଭୋଜଶାଳା ଢାଞ୍ଚା ବିବାଦରେ ମୁସଲିମ ପକ୍ଷକୁ ଶକ୍ତ ଝଟକା ଲାଗିଛି । ହାଇକୋର୍ଟ ବିଚାରପତି ବିଜୟ କୁମାର ଶୁକ୍ଳା ଏବଂ ଆଲୋକ ଅବସ୍ଥୀଙ୍କ ଖଣ୍ଡପୀଠ ଭୋଜଶାଳାକୁ ନେଇ ମସଲିମ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି । ଏହି ଢାଞ୍ଚାର ଧାର୍ମିକ ପ୍ରକୃତି ମନ୍ଦିର ଅଟେ ଏବଂ ମୁସଲିମ ପକ୍ଷ ବିକଳ୍ପ ସ୍ଥାନ ପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବେ । କୋର୍ଟ ସମସ୍ତ ଦସ୍ତାବିଜକୁ ଆଧାର କରି ହୃଦୟଙ୍ଗମ କରିଛନ୍ତି ଯେ ସେହି ସ୍ଥାନରେ ଦେବୀ ସରସ୍ୱତୀଙ୍କ ମନ୍ଦିର ଥିଲା । ଖଣ୍ଡପୀଠ କହିଛନ୍ତି, "ଭକ୍ତମାନଙ୍କୁ ମୌଳିକ ସୁବିଧା ଯୋଗାଇବା, ଉପଯୁକ୍ତ ଆଇନ ଶୃଙ୍ଖଳା ଏବଂ ଦେବତାଙ୍କ ପବିତ୍ରତା ରକ୍ଷା କରିବା ସାମ୍ବିଧାନିକ କର୍ତ୍ତବ୍ୟ। ଆବହମାନ କାଳରୁ ସମୟ ସହିତ ଏହି ସ୍ଥାନରେ ହିନ୍ଦୁ ପୂଜାର ନିରନ୍ତରତା କେବେ ବନ୍ଦ ହୋଇନାହିଁ। ଐତିହାସିକ ସାହିତ୍ୟ ବିବାଦୀୟ ଅଞ୍ଚଳର ସ୍ୱଭାବକୁ ଏକ ସଂସ୍କୃତ ଶିକ୍ଷା କେନ୍ଦ୍ର ଭାବରେ ଦର୍ଶାଉଛି । ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଦେବୀ ସରସ୍ୱତୀଙ୍କ ମନ୍ଦିରର ଅସ୍ତିତ୍ୱକୁ ସୂଚିତ କରୁଛି ।
ଏହା ସହିତ ହିନ୍ଦୁଙ୍କ ପୂଜା କରିବାର ଅଧିକାରକୁ ସୀମିତ କରିବା ଏବଂ ମୁସଲିମ ସମ୍ପ୍ରଦାୟକୁ ନମାଜ ପାଠ କରିବାକୁ ଅନୁମତି ଦେବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ୨୦୦୩ ଆଦେଶକୁ ବାତିଲ କରିଛନ୍ତି ।
ଧାରର ଭୋଜଶାଳାକୁ ତିନୋଟି ସମ୍ପଦାୟ ପକ୍ଷରୁ ଭିନ୍ନ ଭିନ୍ନ ଦାବ ହୋଇଆସୁଥିଲା । ହିନ୍ଦୁ ସମ୍ପ୍ରଦାୟ ଭାଗଦେବୀ (ଦେବୀ ସରସ୍ୱତୀ)ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ମନ୍ଦିର ବୋଲି କହୁଥିବାବେଳେ ମୁସଲିମ ପକ୍ଷ ଦାବି କରିଥିଲେ ଯେ ଢାଞ୍ଚାଟି କମଲ ମୌଲା ମସଜିଦ ଥିଲା। ଜଣେ ଜୈନ ଆବେଦନକାରୀ ଦାବି କରିଥିଲେ ଯେ ବିବାଦୀୟ ପରିସରରେ ଏକ ମଧ୍ୟଯୁଗୀୟ ଜୈନ ମନ୍ଦିର ଏବଂ ଏକ ଗୁରୁକୂଳ ରହିଛି।
ଭୋଜଶାଳା ଢାଞ୍ଚାର ବୈଜ୍ଞାନିକ ସର୍ଭେ ପରେ ଏଏସଆଇ ୨,୦୦୦ ରୁ ଅଧିକ ପୃଷ୍ଠାର ରିପୋର୍ଟରେ ସୂଚିତ କରିଛି ଯେ ମସଜିଦ ପୂର୍ବରୁ ଧାରର ପରମାର ରାଜାଙ୍କ ରାଜତ୍ୱ କାଳର ଏକ ବିଶାଳ ଗଠନ ଥିଲା ଏବଂ ବର୍ତ୍ତମାନର ବିବାଦୀୟ ଗଠନ ମନ୍ଦିରର କିଛି ଅଂଶ ପୁନଃବ୍ୟବହାର କରି ନିର୍ମିତ ହୋଇଥିଲା। ହିନ୍ଦୁ ପକ୍ଷ ଏଏସ୍ଆଇର ଦ୍ୱାରା ଉଦ୍ଧାର ଶିଳା ଲେଖ, ମୂର୍ତ୍ତୀ ଇତ୍ୟାଦିର ପ୍ରମାଣ ଦେଇ ଏହା ସରସ୍ୱତୀଙ୍କ ମନ୍ଦିର ବୋଲି ଦାବି କରିଥିଲେ । ମୁସଲିମ ପକ୍ଷ ଏହା ଏଏସ୍ଆଇର ପକ୍ଷପାତିତା ବୋଲି ଅଭିଯୋଗ କରିଥିଲା । କିନ୍ତୁ ଏଏସ୍ଆଇ ମୁସଲିମ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରି କହିଥିଲା ଯେ ସମସ୍ତ ବୈଜ୍ଞାନିକ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଥିଲା । ଯେଉଁ ଟିମ୍ ସର୍ବେକ୍ଷଣରେ ସାମିଲ ଥିଲା ସେଥିରେ ତିନି ଜଣ ମୁସଲିମ ଅଧିକାରୀ ସାମିଲ ଥିଲେ ଏବଂ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।
ହାଇକୋର୍ଟ ୧୧ ମାର୍ଚ୍ଚ, ୨୦୨୪ରେ ଭୋଜଶାଳା ମନ୍ଦିର-କମଳ ମୌଲା ମସଜିଦ କମ୍ପ୍ଲେକ୍ସର ବୈଜ୍ଞାନିକ ସର୍ଭେ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ । ଏଏସ୍ଆଇ ୨୨ ମାର୍ଚ୍ଚ, ୨୦୨୪ରେ ଭୋଜଶାଳା ପରିସରର ସର୍ଭେ ଆରମ୍ଭ କରିଥିଲା। ୯୮ ଦିନର ଏକ ବିସ୍ତୃତ ସର୍ଭେ ପରେ, ଏଏସ୍ଆଇ ୧୫ ଜୁଲାଇ, ୨୦୨୪ରେ ହାଇକୋର୍ଟରେ ଏହାର ରିପୋର୍ଟ ଦାଖଲ କରିଥିଲା।
ଜଷ୍ଟିସ୍ ବିଜୟ କୁମାର ଶୁକ୍ଳା ଏବଂ ଜଷ୍ଟିସ୍ ଆଲୋକ ଅବସ୍ଥୀଙ୍କୁ ନେଇ ଗଠିତ ହାଇକୋର୍ଟର ଇନ୍ଦୋର ବେଞ୍ଚ ଏପ୍ରିଲ ୬ ରେ ଏହି ମାମଲା ସହିତ ଜଡିତ ପାଞ୍ଚଟି ଆବେଦନ ଏବଂ ଗୋଟିଏ ରିଟ୍ ଅପିଲର ନିୟମିତ ଶୁଣାଣି ଆରମ୍ଭ କରିଥିଲେ। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ମେ ୧୨ରେ ଅନ୍ତିମ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।